ଧୀରେଧୀରେ ସ୍ବାଭାବିକ ହେଉଛି ବାଲେଶ୍ବର

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବରରେ ବଢିଲା କର୍ଫ୍ୟୁ କୋହଳ ସମୟ । ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଢିଲା କର୍ଫ୍ୟୁ କୋହଳ ସମୟ । ଶାନ୍ତି କମିଟି ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ଅଶାନ୍ତ ଥିବା ବାଲେଶ୍ବରରେ ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରତାପ ଷଢଙ୍ଗୀ, ବିଧାୟକ ମାନସ ଦତ୍ତ, ଜିଲ୍ଲାପରିଷଦ ସଭାପତି ନାରାୟଣ ପ୍ରଧାନ, ପୌରାଧ୍ୟକ୍ଷା ସବିତା ସାହୁ, ଏସପି ସାଗରିକା ନାଥଙ୍କ ସମେତ ବାଲେଶ୍ବର ସହରର ବିଭିନ୍ନ ବର୍ଗ ଓ ସଂମ୍ପ୍ରଦାୟର ପ୍ରତିନିଧିମାନେ ଯୋଗଦେଇଥିଲେ । ଗୋଷ୍ଠୀ ସଂଘର୍ଷର କାରଣ, ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗକୁ ଯେମିତି ଘଟଣାର ପୁନରାବୃତ୍ତି ନଘଟେ ସେନେଇ ସ୍ଥାନୀୟ ଲୋକେ ସଚେତନ ହେବା ସହିତ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରଖିବାକୁ ସର୍ବସମ୍ମତ୍ତିରେ ପ୍ରସ୍ତାବ ଗ୍ରହଣ କରାଯାଇଛି ।