ମିଳିଲାନି ବେଲ୍, ଜେଲ ଗଲେ ଅର୍ଦ୍ଧେନ୍ଦୁ

ଭୁବନେଶ୍ବର: ଜାମିନ ମିଳିଲାନି । ଜେଲ୍ ଗଲେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ । ଠକେଇ ଅଭିଯୋଗରେ ଗିରଫ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଉଛନ୍ତି ଅର୍ଦ୍ଧେନ୍ଦୁ । ଜୁଲାଇ ୧୩ ତାରିଖ ଯାଏଁ ରହିବେ ଜେଲରେ ।

୯୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗତକାଲି ରାତିରେ ନୟାଗଡ ଓଡଗାଁ ନିକଟରୁ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ବଡ଼ଗଡ଼ ଥାନା ଅନ୍ତର୍ଗତ ଟଙ୍କପାଣି ରୋଡ଼ରେ ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ୱଲାଙ୍କୁ ଭେଟିଥିଲେ ଅର୍ଦ୍ଧେନ୍ଦୁ ଦାସ । ଟିଭି ଚ୍ୟାନେଲରେ ବ୍ୟବହାର କରିବା ପାଇଁ ୧ କୋଟି ୪୭ ହଜାର ଟଙ୍କାର ଯନ୍ତ୍ରାଂଶ କିଣିଥିଲେ । ୨୦୨୦ ମସିହାରେ ଚୁକ୍ତି ଅନୁଯାୟୀ ୧୦ ଲକ୍ଷ ଦେବା ପରେ ଆଉ ଧରାଛୁଆଁ ଦେଇନଥିଲେ । ଏ ନେଇ ଇଓଡବ୍ଲୁରେ ଅଭିଯୋଗ ପରେ ତାଙ୍କୁ ଦୁଇ ଥର ସମନ ହୋଇଥିଲେ ମଧ୍ୟ ଏହାକୁ ଖାତିର କରିନଥିଲେ । ପୂର୍ବରୁ ଅର୍ଦ୍ଧେନ୍ଦୁଙ୍କ ଘରେ ଇଓଡବ୍ଲୁ ଚଢାଉ କରିଥିବା ବେଳେ ଗତକାଲି ତାଙ୍କ ଅଫିସରେ ଚଢ଼ାଉ ହୋଇଥିଲା । ଗିରଫ ପରେ ଆଜି ସକାଳେ ଅର୍ଦ୍ଧେନ୍ଦୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ କୋର୍ଟରେ ହାଜର କରାଯାଇଥିଲା ।

ସୂଚନାଯୋଗ୍ୟ, ଅର୍ଦ୍ଧେନ୍ଦୁଙ୍କ ବିରୋଧରେ କେବଳ ଏଇ ଗୋଟିଏ ମାମଲା ହୋଇନି । ତାଙ୍କ ବିରୋଧରେ ଓ ତାଙ୍କ ଚ୍ୟାନେଲ ବଡ ଖବର ବିରୋଧରେ ୪ଟି ମାମଲା ହୋଇଛି । କାହାକୁ ଘର ଭଡା ବାବଦରେ ଠକିଛନ୍ତି ତ କାହାକୁ ପ୍ଲାଏ କିଣା ବାବଦ ଟଙ୍କା ନଦେଇ ଠକିଛନ୍ତି । ଏନେଇ ପୂର୍ବରୁ କଟକ ଓ ଭୁବନେଶ୍ବରରେ ଏକାଧିକ ମାମଲା ରୁଜୁ ହୋଇଛି । ୬ ମାସର ଘର ଭଡା ବାବଦକୁ ୫ ଲକ୍ଷ ଟଙ୍କା ଦେଉନଥିବାରୁ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଭୁବନେଶ୍ବର ବଡଗଡ ଥାନାରେ ଗୋଟିଏ ମାମଲା ହୋଇଛି । ଟଙ୍କା ମାଗିବାରୁ ଘର ମାଲିକଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଉଥିଲେ ଅର୍ଦ୍ଧେନ୍ଦୁ । ବିନା ଅନୁମତିରେ ଘର କାନ୍ଥ ଖୋଳିବା ସହ ବିଭିନ୍ନ ସ୍ଥାନରେ ପାନ ଛେପ ପକାଯାଉଛି । ଘର ଛାଡିବାକୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ଅର୍ଦ୍ଧେନ୍ଦୁ ଅଣଦେଖା କରୁଛନ୍ତି । ବାଧ୍ୟ ହୋଇ ଥାନାର ଆଶ୍ରୟ ନେଇଛନ୍ତି ଘର ମାଲିକ ବିଶ୍ବଜିତ ସାହୁ ।

ସେହିଭଳି କଟକର ଜଣେ ବ୍ୟବସାୟୀଙ୍କୁ ପ୍ଲାଏ ବାବଦ ୭ ଲକ୍ଷ ଟଙ୍କା ଦେଉନଥିବାରୁ କଟକ ପୁରୀଘାଟ ଥାନାରେ ଅଭିଯୋଗ ହୋଇଛି । ଏଥିସହିତ କର୍ମଚାରୀଙ୍କୁ ଦରମା ନଦେଇ ବାରମ୍ବାର ଧମକ ଦେଉଥିବା ନେଇ ୨୦୨୧ ଡିସେମ୍ବର ମାସରେ କଟକ ମର୍କତନଗର ଥାନାରେ ଅଭିଯୋଗ କରିଥିଲେ ଦୀପକ ବିଶ୍ବାଳ । ତାଙ୍କଠାରୁ କ୍ୟାମେରା ଆଣିବାକୁ ଯାଇ ବଡ଼ ଖବର କର୍ମଚାରୀମାନେ ଦୀପକ ଓ ତାଙ୍କ ପତ୍ନୀଙ୍କୁ ଧମକଚମକ ଦେବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ । ତେଣୁ ଦୀପକଙ୍କ ପରିବାର ପୋଲିସକୁ ସୁରକ୍ଷା ମାଗିଛନ୍ତି ।