ବେଆଇନ ୟୁଜର ଫି’ ଆଦାୟକୁ ବିରୋଧ, ଗର୍ଜିଲେ ଅଟୋ ଚାଳକ

ପୁରୀ: ଗର୍ଜିଲେ ଅଟୋ ଚାଳକ । ବେଆଇନ ଭାବେ ୟୁଜର ଫି ଆଦାୟକୁ ବିରୋଧ କରି ପୁରୀ ସହର ଅଟୋ ଓ ଟୋଟୋ ମିଳିତ ମହାମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତୁରନ୍ତ ଏହା ପ୍ରତ୍ୟାହାର ନ ହେଲେ ଅଟୋ ଚାଳକ ରାଜରାସ୍ତାକୁ ଓହ୍ଲାଇ ଅଖ, ଚକ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଶରଧା ବାଲିରୁ ପ୍ରାୟ ୫୦୦ରୁ ଅଧିକ ଅଟୋ ଚାଳକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଟୋ ଚାଳକ ପରିବହନ ବିଭାଗକୁ ୫ ପ୍ରକାର କର ଦେଉଥିବାବେଳେ ପୁରୀ ସହରରେ ଅଟୋ ଚାଳକଙ୍କଠାରୁ ପୌରପାଳିକା ବେଆଇନ ଭାବେ ୟୁଜର ଫି ବାବଦରେ ୧୦୦୦ ଟଙ୍କା ଆଦାୟ କରୁଛି । ଏଥିପାଇଁ ଆଇନରେ କୌଣସି ବ୍ୟବସ୍ଥା ନାହିଁ । ପୂର୍ବରୁ ଜିଲ୍ଲା ଓ ପୋଲିସ ପ୍ରଶାସନ ପୁରୀ ସହରରେ ଅଟୋ ଚାଳକମାନଙ୍କୁ ଅଟୋର କାଗଜପତ୍ର ପଞ୍ଜିକରଣ ନିମନ୍ତେ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଅନୁଯାୟୀ ଅଟୋ ଚାଳକମାନେ ପରିବହନ କାର୍ଯ୍ୟାଳୟରେ ପଞ୍ଜୀକରଣ କରୁଥିଲେ । କିନ୍ତୁ କୌଣସି ଅଟୋ ସଂଘ ସହ ଆଲୋଚନା ନକରି ପୁରୀ ପୌରପାଳିକା ଅଟୋ ଚାଳକଙ୍କଠାରୁ ବେଆଇନ ଭାବେ ୧୦୦୦ ଟଙ୍କା ୟୁଜର ଫିସ ଆଦାୟ କରୁଛନ୍ତି । ଏହା ତୁରନ୍ତ ପ୍ରତ୍ୟାହାର ପାଇଁ ସଂଘ ଦାବି କରିଛି ।