ଲୋନ୍ ଦେଇପାରିଲେନି ଅଟୋ ଚାଳକ, ଜବତ ହେଲା ୨ କୋଟିର ଫ୍ଲାଟ୍

ମୁମ୍ବାଇ: ସ୍ବପ୍ନ ଥିଲା ମୁମ୍ବାଇରେ ଘର ଖଣ୍ଡେ କରିବେ । ଦିନ ରାତି ପରିଶ୍ରମ କରି ଏବଂ ଲୋନ ଆଣି ଫ୍ଲାଟ କିଣିଲେ, ହେଲେ କ’ଣ ହେବ ଆଣିଥିବା ଲୋନ୍ ସୁଝି ନ ପାରିବାରୁ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଜଣେ ଅଟୋ ଚାଳକ ।

ମୁମ୍ବାଇର ଜଣେ ଅଟୋ ଚାଳକ କରଜ ସୁଝି ନ ପାରିବାରୁ ତାଙ୍କର ୨ କୋଟିର ଫ୍ଲାଟ୍ ସିଜ୍ ହୋଇଛି । ଆୟ ଅନୁସାରେ ଅଧିକ କରଜ ଆଣି ଥିବାରୁ ତାହା ସୁଝି ପାରି ନଥିଲେ । ଏଥିପାଇଁ ତାଙ୍କର ୨ କୋଟିର ଫ୍ଲାଟକୁ ସିଜ୍ କରାଯାଇଛି ।

ଅଟୋ ଚାଳକଙ୍କ ହାତରେ ଏବେ ଟଙ୍କାଟିଏ ପଇସା ନାହିଁ କି ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଳକ ଜଣଙ୍କ । ମୁମ୍ବାଇର ଏହି ଅଟୋ ଚାଳକ ୨୦୧୯ରେ ବ୍ୟାଙ୍କରୁ ୧ କୋଟି ୮୦ ଲକ୍ଷ ଟଙ୍କର ହୋମ୍ ଲୋନ୍ ଆଣିଥିଲେ । ତାହା ସେ ଠିକ୍ ସମୟରେ ସୁଝି ପାରି ନଥିଲେ । ବ୍ୟାଙ୍କରୁ ବାରମ୍ବାର ଫୋନ ଆସିଲା ପରେ ବି ସେ ସୁଝିବାକୁ ସମର୍ଥ ହୋଇ ନଥିଲେ । ଏହା ପରେ ବ୍ୟାଙ୍କ ତାଙ୍କର ୨ କୋଟିର ଫ୍ଲାଟକୁ ସିଜ୍ କରିଛି ।

ଚାଳକଙ୍କ ନାଁ ହେଲା ହାରୁନ ସତ୍ତାର ଶେଖ । ମାୟାନଗରୀ ମୁମ୍ବାଇରେ ଅଟୋ ଚାଳକ ଜଣଙ୍କ ଘର କିଣିବାର ସ୍ବପ୍ନ ଦେଖିଥିଲେ । ଅଟୋ ଚଳାଇ ସେ ପରିବାର ପୋଷନ୍ତି । ଘର ପାଇଁ ସେ ନେଇଥିବା ପଦକ୍ଷେପ ପାଇଁ ଏବେ ସେ ପସ୍ତାଉଛନ୍ତି । ଘର ସ୍ବପ୍ନ ଏବେ ଭାଙ୍ଗି ରୁଜି ଛାରଖାର ହୋଇଯାଇଛି ।

ହାରୁନ ନିଜ ପତ୍ନୀ ଏବଂ ଆଉ ଜଣେ ମହିଳାଙ୍କ ନାଁରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଲୋନ ଆଣିଥିଲେ । ଲୋନକୁ ସେ ଠିକ୍ ସମୟରେ ସୁଝି ପାରି ନଥିଲେ । ପରେ ବ୍ୟାଙ୍କ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । କୋର୍ଟ ଏହି ମାମଲାର ଶୁଣାଣି କରି ଫ୍ଲାଟ୍ ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।