ମୃତ୍ୟୁ ପୂର୍ବରୁ ହୋଟେଲରୁ ଏକା ବାହାରିଥିଲେ ଆସିଷ୍ଟାଣ୍ଟ କଲେକ୍ଟର, ତଦନ୍ତରେ ସହଯୋଗ କରୁନାହାନ୍ତି ପରିବାର

ରାଉରକେଲା: ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛନ୍ତି ଡିଏସପି ବନିତା ମାଝୀ । ଦୁଇଟି ସିସିଟିଭି ଫୁଟେଜ ଜବତ କରାଯାଇଛି। ମୃତ ଆସିଷ୍ଟାଣ୍ଟ କଲେକ୍ଟର ହୋଟେଲରୁ ଏକୁଟିଆ ବାହାରି ଯାଉଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି । ହୋଟେଲରେ ଆଉଥରେ ସାଇଣ୍ଟିଫିକ ଟିମ୍‌ ତଦନ୍ତ କରିବା ସହ ହୋଟେଲ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି।

ମୃତ୍ୟୁ ପୁର୍ବରୁ ଦେଇଥିବା ଲିଖିତ ବୟାନ ଓ ଭିଡିଓ ଜବତ କରିଛି ପୋଲିସ । ଆଜି ପୋଲିସ, ସାଇଣ୍ଟିଫିକ ଟିମ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଆଉଥରେ ପୋଖରୀ ଯାଞ୍ଚ କରାଯିବ। ରାଉରକେଲା ସେନସୋରୀ ପାର୍କ ପୋଖରୀରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଵା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ।

ତେବେ ବିଭିନ୍ନ ସଙ୍ଗଠନ, ରାଜନୈତିକ ଦଳ ଓ ପରିବାର ଲୋକ ଏଥିରେ ସନ୍ଦେହ ପ୍ରକାଶ କରି ଘଟଣାର ଅଧିକ ତଦନ୍ତ ପାଇଁ ଦାବି କରିଥିଲେ । ତଦନ୍ତରେ ସହଯୋଗ କରିବା ପାଇଁ ପରିବାରର ତିନି ଜଣଙ୍କୁ ନୋଟିସ କରାଯାଇଥିଲା । ତେବେ ପରିବାର ଲୋକ ପୋଲିସକୁ ସହଯୋଗ କରୁନଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି  ।