ଏସିଆ କପ୍: ବାଂଲାଦେଶକୁ ୭ ୱିକେଟରେ ହରାଇଲା ଆଫଗାନୀସ୍ତାନ

1 min read

ଦୁବାଇ: ଶ୍ରୀଲଙ୍କା ପରେ ବାଂଲାଦେଶକୁ ହରାଇଲା ଆଫଗାନୀସ୍ତାନ । ଏସିଆ କପ ୨୦୨୨ର ତୃତୀୟ ମ୍ୟାଚରେ ବାଂଲାଦେଶ କ୍ରିକେଟ ଟିମର ସାମ୍ନା ଆଫଗାନୀସ୍ତାନ ସହ ହୋଇଥିଲା । ଏହି ମ୍ୟାଚରେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହସନ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ବାଂଲାଦେଶ ୧୨୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ମୁସାଡେକ ହୁସେନ ସର୍ବାଧିକ ୪୮ ରନ୍ କରି ଅପରାଜିତ ଥିଲେ । ୧୨୮ରନର ବିଜୟ ଲକ୍ଷ୍ୟକୁ ଆଫଗାନୀସ୍ତାନ ୧୮.୩ ଓଭରରେ ହାସଲ କରିନେଇଛି ।

୭ ୱିକେଟରେ ଏହି ମ୍ୟାଚକୁ ଜିତିନେଇଛି ଆଫଗାନୀସ୍ତାନ । ଆଜିର ବିଜୟରେ ଆଫଗାନୀସ୍ତାନର ଇବ୍ରାହୀମ ଜଡ୍ରାନ ୪୨ ରନ୍ ଓ ନଜିବୁଲ୍ଲାହ ଜଡ୍ରାନ ୪୩ ରନ୍ ବଡ଼ ଭୂମିକା ରହିଥିଲା । ଉଭୟ ଅପରାଜିତ ରହି ଦଳକୁ ବିଜୟ ଦେଇଥିଲେ । ଏଥିସହିତ ଆଫଗାନୀସ୍ତାନ ଏସିଆ କପ ୨୦୨୨ରେ ସୁପର-୪ରେ ପହଞ୍ଚିଥିବା ପ୍ରଥମ ଟିମ୍ ଭାବେ ସଫଳତା ହାସଲ କରିଛି । ଏହା ପୂର୍ବରୁ ଶ୍ରୀଲଙ୍କାକୁ ପ୍ରଥମ ମ୍ୟାଚରେ ପରାଜିତ କରିଥିଲା ଆଫଗାନୀସ୍ତାନ ।