ଭଣ୍ଡ ସାରଥି କେମିତି ବନିଥିଲେ ଭଗବାନ? ଆଇପିଏସ୍ ଅରୁଣ ବୋଥ୍ରା ଦେଲେ ରୋଚକ ତଥ୍ୟ

ଭୁବନେଶ୍ୱର: ମାନ୍ୟବର ମାନ୍ୟବର କହି ଲୋକଙ୍କୁ ଭୂଆଁ ବୁଲାଇ ଚାଲିଥିବା ସାରଥି ବାବା ଭଲଭାବେ ଜାଣିଥିଲେ ସେ ଭଗବାନ ନୁହଁନ୍ତି। କିନ୍ତୁ ଲୋକେ ତାଙ୍କୁ ଭଗବାନଙ୍କ ଅବତାର ବନାଇଦେଇଥିଲେ । ସମ୍ଭବତଃ ସାରଥି ନିଜର ମିଛ ଭଗବାନ ଅବତାରକୁ ଭରପୂର ଉପଭୋଗ କରୁଥିଲେ । ଏମିତି କିଛି ରୋଚକ କଥା ଏବେ ଏବେ ପଦାକୁ ଆସିଛି ।

ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ଆଜି ସାରଥିଙ୍କୁ ନେଇ କରିଥିବା ଏକ ଟ୍ୱିଟ୍‌ରୁ ଏମିତି କିଛି କଥା ଜାଣିବାକୁ ମିଳିଛି । ବୋଥ୍ରା ଲେଖିଛନ୍ତି ଯେ, ଭକ୍ତମାନେ ସେମାନଙ୍କ ଜୀବନରେ ଘଟୁଥିବା କିଛି ଭଲ ଘଟଣାର ଶ୍ରେୟ ସାରଥିଙ୍କୁ ଦେବାସହ ଏହାକୁ ବାବାଙ୍କ ଚମତ୍କାର ବୋଲି କହୁଥିଲେ । ଏଥିସହ ଭଗବାନଙ୍କ ଅବତାରଭାବେ ତାଙ୍କୁ ଅଭିହିତ କରାଇଥିଲେ ।

ଏଭଳି କି ତାଙ୍କ ଆଶ୍ରମରେ ଥିବା ଏକ ସିମେଣ୍ଟ ଗାଇର କ୍ଷୀର ଦେଉଥିବା ନେଇ ମଧ୍ୟ ତାଙ୍କର ଜଣେ ଭକ୍ତ ପ୍ରଚାର କରିଥିଲେ । ଏଇ ଖବର ନେଇ ଖୋଦ୍‌ ସାରଥି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ବୋଲି ଟ୍ୱିଟ୍‌ କରି କହିଛନ୍ତି ଅରୁଣ ବୋଥ୍ରା । ଗିରଫ ହେଲା ପରେ ସାରଥି ତାଙ୍କୁ ଏଭଳି କହିଥିବା ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ବାବା ସାରଥି ଓରଫ୍‌ ସନ୍ତୋଷ ରାଉଳ ଜଣେ ଯୁବତୀଙ୍କୁ ନେଇ ହାଇଦ୍ରାବାଦର ବଞ୍ଜାରା ହୋଟେଲରେ ରହୁଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିବାଦକୁ ଆସିଥିଲେ ବାବା । ତା’ ପରେ ସାରଥିଙ୍କ ଗୋଟିକ ପରେ ଗୋଟିକ କାରନାମା ପଦାକୁ ଆସିଥିଲା ଆଉ ସେ ଗିରଫ ହୋଇଥିଲେ ।

Leave a Reply