ନେଦରଲ୍ୟାଣ୍ଡସକୁ ପେନାଲ୍ଟି ସୁଟଆଉଟ୍ ରେ ହରାଇ ସେମିଫାଇନାଲରେ ଆର୍ଜେଣ୍ଟିନା

1 min read

ଦୋହା: କତାରରେ ଚାଲିଥିବା ଫିଫା ବିଶ୍ୱକପ୍ ୨୦୨୨ରେ ଶୁକ୍ରବାର ବିଳମ୍ବିତ ରାତିରେ ଦ୍ୱିତୀୟ ଅତ୍ୟନ୍ତ ରୋମାଞ୍ଚକର କ୍ୱାଟର ଫାଇନାଲ୍ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚରେ ଲିଓନେଲ ମେସିଙ୍କ ଟିମ୍ ଆର୍ଜେଣ୍ଟିନାର ଟକ୍କର ନେଦରଲ୍ୟାଣ୍ଡସ ସହ ହୋଇଥିଲା । ଏହି ମୁକାବିଲା ବହୁତ ରୋମାଞ୍ଚକର ରହିଥିଲା, ଯେଉଁଥିରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ୪-୩ ରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ଏବେ ମେସିଙ୍କ ଟିମ୍ ଚଳିତଥର ଚମ୍ପିଆନ ହେବାକୁ ଦୁଇଟି ବିଜୟ ଦୂରରେ ରହିଛି ।

ଆର୍ଜେଣ୍ଟିନା ଟିମର ଟକ୍କର ଏବେ ସେମିଫାଇନାଲରେ କ୍ରୋଏସିଆ ସହ ହେବ । କ୍ରୋଏସିଆ ଗତକାଲି ରାତିରେ ନିଜର କ୍ୱାଟର ଫାଇନାଲ ମୁକାବିଲାରେ ନେମାରଙ୍କ ବ୍ରାଜିଲକୁ ପେନାଲ୍ଟି  ସୁଟଆଉଟରେ ପରାଜିତ କରିଛି । ଏବେ କ୍ରୋଏସିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ୧୩ ଡିସେମ୍ବର ବିଳମ୍ବିତ ରାତି ୧୨ ଟା ୩୦ରେ ସେମିଫାଇନାଲ ମ୍ୟାଚ ହେବ । କ୍ୱାଟର ଫାଇନାଲରେ ମେସି ନିଜ କଳାର ପ୍ରଦର୍ଶନ କରି ୩୫ତମ ମିନିଟରେ ନାହୁଏଲ ମୋଲିନାଙ୍କ ପାଇଁ ପ୍ରାରମ୍ଭିକ ଗୋଲ୍ ସେଟ୍ କରିଥିଲେ, ଏହି ଗୋଲ୍ ସହ ଆର୍ଜେଣ୍ଟିନା ନିଜ ଖାତା ଖୋଲିଥିଲା ଏବଂ ୧-୦ରେ ଆଗୁଆ ରହିଥିଲା ।

ଏହାପରେ ୭୩ତମ ମିନିଟରେ ପେନାଲ୍ଟିକୁ ଗୋଲରେ ପରିଣତ କରି ମେସି ଆର୍ଜେଣ୍ଟିନା ପାଇଁ ଦ୍ୱିତୀୟ ଗୋଲ୍ କରିଥିଲେ । ଚଳିତ ବିଶ୍ୱକପରେ ଏହା ମେସିଙ୍କ ଚତୁର୍ଥ ଗୋଲ ଥିଲା । ମେସି ଏବଂ ଗେବ୍ରିୟଲଙ୍କ ନାଁ ବିଶ୍ୱକପରେ ଏବେ ୧୦-୧୦ ଗୋଲ ହୋଇଯାଇଛି । ଯଦି ଆଗାମୀ ମୁକାବିଲାରେ ମେସି ଗୋଲ କରନ୍ତି ତେବେ ଇତିହାସ ରଚିବେ । ଆର୍ଜେଣ୍ଟିନାର ଦୁଇଟି ପ୍ରାରମ୍ଭିକ ଗୋଲ ପରେ ଏମିତି ଲାଗିଥିଲା ଯେ ଦଳ ସହଜରେ ମ୍ୟାଚକୁ ଜିତିନେବ କିନ୍ତୁ ଶେଷ ସମୟରେ ନେଦରଲ୍ୟାଣ୍ଡସର ଖେଳାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ।

୮୩ତମ ମିନିଟରେ ୱାଟ ବେଘୋରଷ୍ଟ ନେଦରଲ୍ୟାଣ୍ଡସ ପାଇଁ ପ୍ରଥମ ଗୋଲ କରି ପ୍ରତ୍ୟାବର୍ତ୍ତନର ଆଶା ଉଜ୍ଜିବୀତ କରାଇଥିଲେ । ୯୦ ମିନିଟ ପର୍ଯ୍ୟନ୍ତ ଗେମ ଆର୍ଜେଣ୍ଟିନା ପକ୍ଷରେ ରହିଥିଲା କାରଣ ଲିଓନେଲଙ୍କ ଟିମ୍ ୨-୧ରେ ଲିଡ୍ କରୁଥିଲା । ଇଂଜୁରି ଟାଇମର ପ୍ରାୟ ଶେଷ ମିନିଟରେ ନେଦରଲ୍ୟାଣ୍ଡସ ଦ୍ୱିତୀୟ ଗୋଲ କରି ବରାବର କରିନେଇଥିଲା । ଏହି ଗୋଲ ମଧ୍ୟ ବେଘୋରଷ୍ଟ ୯୦+୧୧ତମ ମିନିଟରେ ଦେଇଥିଲେ । ୧୯୯୦ ପରଠୁ ଏହା ଦ୍ୱିତୀୟ ଥର ଅଟେ ଯେବେ ଆର୍ଜେଣ୍ଟିନା ଶେଷ ଚାରି ଟିମରେ ସ୍ଥାନ ବନାଇଛି । ୨୦୧୪ରେ ମେସି ଫାଇନାଲରେ ଜର୍ମାନୀଠୁ ହାରିଥିବା ଟିମର ସଦସ୍ୟ ଥିଲେ ।