ମାଟ୍ରିକରେ ୯୦ ପ୍ରତିଶତ ମାର୍କ ଆସିଛି, ହେଲେ ଏ ସଫଳତା ଦେଖିବାକୁ ଜୀବିତ ନାହିଁ ଝିଅ

ଅନୁଗୁଳ: ଝିଅ ମାଟ୍ରିକରେ ୯୦ ପ୍ରତିଶତ ମାର୍କ ରଖିଛି । ଘର ଆଜି ହସଖୁସିରେ ଚହଲୁଥାଆନ୍ତା । ପିଠାପଣା ମିଠାରେ ସଭିଏ ଭାସୁଥାଆନ୍ତେ । ହେଲେ ସବୁଆଡ଼ ଖାଁ ଖାଁ ଆଉ କାନ୍ଦବୋବାଳି । କାରଣ ଛାଇଆଲୁଅର ଜୀବନରେ ସଫଳତା ଦେଖିବା ଆଗରୁ ବିଦାୟ ନେଇଯାଇଛି କଅଁଳ ବୟସ । ମାଟ୍ରିକ ରେଜଲ୍ଟ ଆସିବାର ୨ମାସ ଆଗରୁ ଆରପାରିକୁ ଚାଲିଯାଇଛି ଢେଙ୍କାନାଳର ମେଧାବୀ ଛାତ୍ରୀ ସ୍ବାତୀ ସୁଚରିତା ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଣିଭଣ୍ଡାର ଗାଁରେ ମୃତ ସ୍ବାତୀଙ୍କ ଘର । ବାପା ଅଭିରାମ ଜେନା ଅନୁଗୁଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ ସ୍ବାତୀ ଅନୁଗୁଳ ଗାନ୍ଧୀମାର୍ଗ ସରସ୍ବତୀ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଚଳିତବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ । ଭଲ ରେଜଲ୍ଟ ପାଇଁ ମଧ୍ୟ ଆଶା ରଖିଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।

ଗତ ମାର୍ଚ୍ଚ ୨୦ ତାରିଖରେ ବାପାଙ୍କ ସାଙ୍ଗରେ ଝିଅ ମାମୁ ଘର ଢେଙ୍କାନାଳ ଜିଲା ଭୁବନ ଧଳପଡ଼ା ଯିବା ରାସ୍ତାରେ ଯମୁନାକୋଟ ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ରେଜଲ୍ଟ ବାହାରିଥିବାବେଳେ ସ୍ବାତୀ ୯୦ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି । ହେଲେ ସବୁ ଖୁସି କେବେଠୁ ପାଣିରେ ମିଳେଇ ସାରିଛି । ଫଳ ପ୍ରକାଶ ପରେ ସ୍ବାତୀଙ୍କୁ ସଭିଏଁ ଝୁରୁଛନ୍ତି ।