ଆଫଗାନିସ୍ତାନକୁ ଆଉ ୨ହଜାର ସୈନ୍ୟ ପଠାଇଲା ଆମେରିକା: ଜାଣନ୍ତୁ କାହିଁକି

କାବୁଲ: ଆଫଗାନିସ୍ତାନରେ ଅଧିକ ସୈନ୍ୟ ମୁତୟନ କଲା ଆମେରିକା । ପୂର୍ବରୁ ଦେଶରେ ୩ହଜାର ସୈନ୍ୟ ଥିବାବେଳେ ଆଉ ୨ ହଜାର ସୈନ୍ୟ ମୁତୟନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଜାତୀୟ ନିରାପତ୍ତା ବାହିନୀ ସହ ଆଲୋଚନା କରି ବିଡେନ ଏହି ପଦକ୍ଷେପ ନେଇଛନ୍ତି । ଆସନ୍ତା ୩୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ହଟିବା ନିଶ୍ଚିତ ହୋଇଥିବାବେଳେ ସେହି ଦେଶରେ ଫସିଥିବା ଆମେରିକୀୟଙ୍କୁ ତୁରନ୍ତ ଉଦ୍ଧାର କରିବା ଲାଗି ବାଇଡେନ୍ ପ୍ରଶାସନ ଏହି ପଦକ୍ଷେପ ନେଇଛି । ଏହି ମିସନ ବିରୋଧରେ କୌଣସି ପ୍ରକାର ପଦକ୍ଷେପ ନ ନେବାକୁ ତାଲିବାନକୁ ବି ସତର୍କ କରିଦିଆଯାଇଛି । ଯଦି ଆମେରିକୀୟ ଦୂତାବାସ କର୍ମଚାରୀ ବା ଅନ୍ୟ କୌଣସି କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନିଆଯାଏ ତେବେ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି । ଇତି ମଧ୍ୟରେ ତାଲିବାନ ମାଜର ଇ ସରିଫକୁ ସମ୍ପୂର୍ଣ୍ଣ କବଜା କରିଥିବାବେଳେ କାବୁଲ ନିକଟରେ ତାଲିବାନ ବାହିନୀ ରହିଛନ୍ତି । ପୂର୍ବରୁ ଗତକାଲି ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଅସରଫ ଘନି ଯେଉଁ ଭାଷଣ ଦେଇଥିଲେ ସେଥିରୁ ପ୍ରତୀୟମାନ ହେଉଛି ଯେ କ୍ଷମତା ହସ୍ତାନ୍ତର କରିବାକୁ ସେ ଚାହାଁନ୍ତି ନାହିଁ । ସେପଟେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନ ରାଜନୈତିକ ପରିସ୍ଥିତି ନେଇ ଘନିଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ୩୧ ତାରିଖ ସୁଦ୍ଧା ପ୍ରାୟ ୩୦ହଜାର ନାଗରିକଙ୍କୁ ନିଜ ଦେଶକୁ ନେବାକୁ ପେଣ୍ଟାଗନ ଯୋଜନା କରିଛି । ସେପଟେ ଭାରତରେ ପଢୁଥିବା ଆଫଗାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦ୍ୱିପାକ୍ଷିକ ସମ୍ପର୍କର ନିଦର୍ଶନ କ୍ରମେ ଭାରତରେ ସହସ୍ରାଧିକ ଆଫଗାନ ଛାତ୍ରଛାତ୍ରୀଙ୍କୁ ଭାରତ ନିଜ ପ୍ରାୟୋଜନରେ ଶିକ୍ଷା ପ୍ରଦାନ କରୁଛି । ପ୍ରତିବର୍ଷ ଶତାଧିକ ଆଫଗାନ ଛାତ୍ରଛାତ୍ରୀଙ୍କୁ ବି ଭାରତ ମେଧାବୃତ୍ତି ପ୍ରଦାନ କରିଆସୁଛି । ମାତ୍ର ଆଫଗାନିସ୍ତାନରେ ଅସ୍ଥିରତା ଓ ତାଲିବାନ ହାତକୁ କ୍ଷମତା ଯିବା ଆସନ୍ନ ହୋଇଥିବାବେଳେ ସେମାନଙ୍କ ଭବିଷ୍ୟତ ନେଇ ଅନିଶ୍ଚୟତା ଜାରି ରହିଛି । ତେଣେ ଆଫଗାନିସ୍ତାନକୁ ଉପହାର ଦେଇଥିବା ୪ ଆକ୍ରମଣକାରୀ ହେଲିକପ୍ଟର ଏମଆଇ୨୪ଭି ମଧ୍ୟରୁ ଗୋଟିଏକୁ ତାଲିବାନ ନିଜ ଅଧିକାରକୁ ନେଇଛି । ସେଠାରେ ଫସିଥିବା ଭାରତୀୟଙ୍କୁ ତୁରନ୍ତ ଫେରାଇ ଆଣିବା ସହ ହିନ୍ଦୁ ଓ ଶିଖଙ୍କ ସୁରକ୍ଷା ଲାଗି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅରିନ୍ଦମ ବାଗଚୀ । ସେପଟେ ଆଫଗାନିସ୍ତାନରେ ଭାରତ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ରାଜପଥ, ବିଦ୍ୟୁତ ଆଦି ଯୋଜନା ଉପରେ ବି ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତାଲିବାନ ଅଧିକୃତ ହେରାତରେ ୪୨ ମେଗାଓ୍ୱାଟ କ୍ଷମତା ସମ୍ପନ୍ନ ସଲମା ଡ୍ୟାମ ବିଦ୍ୟୁତ ପ୍ରକଳ୍ପକୁ ନେଇ ବି ସନ୍ଦିହାନ ରହିଛି ଭାରତ ।

ଏଥିସହିତ ପଢ଼ନ୍ତୁ: ଆଫଗାନିସ୍ତାନରେ ଆରମ୍ଭ ହେଲା ମହିଳାଙ୍କ ଉପରେ ଅତ୍ୟାଚାର: ପୁରୁଷଙ୍କ ବିନା ବଜାରକୁ ଯିବା ମନା, ପିନ୍ଧିପାରିବେନି ସ୍ୟାଣ୍ଡଲ

Leave a Reply