ଜୁମ୍ ମିଟିଂରେ ୯୦୦ କର୍ମଚାରୀଙ୍କ ଚାକିରି ନେଇଥିଲେ; ନିଜ ଚାକିରି ବଞ୍ଚାଇ ପାରିଲେନି

2 min read

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ବିଶାଲ ଗର୍ଗ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଜୁମ୍ ଭିଡିଓ କଲ ବୈଠକରେ ୯୦୦ କର୍ମଚାରୀଙ୍କୁ ବାହାର କରି ଚର୍ଚ୍ଚାରେ ଅଛନ୍ତି ବେଟର ଡଟ୍ କମର ସିଇଓ ବିଶାଲ ଗର୍ଗ । ବିଶାଲ ଗର୍ଗଙ୍କ ଏହି ପଦକ୍ଷେପ ପରେ ସାରା ବିଶ୍ୱରେ ସମାଲୋଚିତ ହେଉଛନ୍ତି । ଏହି ଘଟଣା ପରେ ବିଶାଲ ମଧ୍ୟ ତାଙ୍କ ଭୁଲର ସ୍ୱୀକାର କରିଛନ୍ତି । ଏପରି କରିବା ଉଚିତ ନୁହେଁ ବୋଲି କହିଛନ୍ତି ବିଶାଲ । ଜୁମ୍ କଲରେ ୯୦୦ କର୍ମଚାରୀଙ୍କୁ ବାହାର କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆନନ୍ଦ ମହିନ୍ଦ୍ରା ।

ଏହି ଘଟଣାରେ ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି ଲେଖିଛନ୍ତି କି ‘ମୁଁ ଜାଣିବାକୁ ଆଗ୍ରହୀ ଯେ ଜଣେ ସିଇଓ ଏପରି ଭୁଲ କଲା ପରେ କିପରି ଭାବରେ ସିଇଓ ପଦରେ ରହିପାରିବେ? ତାଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବା ଠିକ୍ କି ନୁହେଁ ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଥିଲେ ଆନନ୍ଦ ମହିନ୍ଦ୍ରା । ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ୱିଟ ପରେ ସୋସିଆଲ ମିଡିଆ ପ୍ଲାଟର୍ଫମରେ କିଛି ଲୋକ ଲେଖିଛନ୍ତି କି ବିଶାଲ ଗର୍ଗଙ୍କୁ ଦ୍ୱିତୀୟ ସୁଯୋଗ ନମିଳିବା ଦରକାର । ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଦ୍ୱିତୀୟ ସୁଯୋଗ ପାଇବା ଉଚିତ କି ନୁହେଁ ତାହା ଉପରେ ବିତର୍କ ହେବା ଉଚିତ ନୁହେଁ। ଜଣେ ଲିଡର ହେବା ପାଇଁ ତାଙ୍କ ପାଖରେ ସହାନୁଭୂତି ଅଛି କି ନାହିଁ ତାହା ଜାଣିବା ଜରୁରୀ! ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଯଦି କମ୍ପାନୀ ସେହି ୯୦୦ କର୍ମଚାରୀଙ୍କୁ ଦ୍ୱିତୀୟ ସୁଯୋଗ ଦେଉଛି ତେବେ ବିଶାଲ ଗର୍ଗଙ୍କୁ ମଧ୍ୟ ଆଉ ଏକ ସୁଯୋଗ ମିଳିବା ଉଚିତ୍ ।

ଆମେରିକା ସମ୍ବାଦ ପତ୍ର ନିୟୁର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ ଏହି ଘଟଣା ପରେ ବିଶାଲ ଗର୍ଗ କ୍ଷମା ମାଗିଥିଲେ । ସେ କହିଥିଲେ କି ତାଙ୍କ ଦ୍ୱାରା ଏକ ବଡ଼ ଭୁଲ ହୋଇଛି । ତେବେ ଏସବୁ ମଧ୍ୟରେ କମ୍ପାନୀ ସିଇଓ ବିଶାଲ ଗର୍ଗଙ୍କୁ ତୁରନ୍ତ ଛୁଟିରେ ପଠାଇ ଦେଇଛି । ସିଇଓଙ୍କ ଅନୁପସ୍ଥିତିରେ କମ୍ପାନୀର ଚିଫ୍ ଫାଇନାନ୍ସଆଲ ଅଫିସର କେଭିନ୍ ରିଆନ ବର୍ତ୍ତମାନ କମ୍ପାନୀର ସମସ୍ତ କାର୍ଯ୍ୟକୁ ତଦାରଖ କରିବେ ଏବଂ ବୋର୍ଡକୁ ରିପୋର୍ଟ କରିବେ ।

ସୂଚନା ଅନୁସାରେ ବିଶାଲ ଗର୍ଗ ଏକ ଜୁମ୍ ମିଟିଂରେ କମ୍ପାନୀର ୯୦୦ କର୍ମଚାରୀଙ୍କୁ ଛଟେଇ କରିଥିଲେ । କମ୍ପାନୀର କ୍ଷତି ହେତୁ ସେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛନ୍ତି ବୋଲି କହିଥିଲେ ବିଶାଲ । ଜୁମ୍ ମିଟିଂରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ସୋସିଆଲ ମିଡିଆରେ ବିଶାଲ ବହୁ ସମାଲୋଚନାର ଶିକାର ହୋଇଥିଲେ ।

Leave a Reply