‘ଅପରେସନ୍ ଅମୃତ’: ଖାଲିସ୍ତାନୀ ସମର୍ଥକ ଅମୃତପାଲ ପଳାତକ ଘୋଷିତ, ୭୮ ସହଯୋଗୀ ଗିରଫ

ଚଣ୍ଡିଗଡ଼: ଖାଲିସ୍ତାନୀ ସମର୍ଥକ ତଥା ‘ଓ୍ବାରିସ ପଞ୍ଜାବ ଦି’ ମୁଖ୍ୟ ଅମୃତପାଲ ସିଂ ପଳାତକ ଘୋଷିତ । ଅମୃତପାଲଙ୍କ ୭୮ ଜଣ ସହଯୋଗୀଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ଅମୃତପାଲଙ୍କୁ ଧରିବାକୁ ପଞ୍ଜାବ ପୋଲିସ ଆରମ୍ଭ କରିଛି ‘ଅପରେସନ ଅମୃତ’ । ପୂରା ରାଜ୍ୟର ପ୍ରାୟ ୩ ଶହ ସ୍ଥାନରେ ପୋଲିସ କରିଥିଲା ଚଢ଼ାଉ । ଏଥିପାଇଁ ପୋଲିସର ୫ଟି ଟିମ୍ ଗଠନ କରାଯାଇଥିଲା । ଅପରେସନ ଅମୃତ ପାଇଁ ରବିବାର ଦିନ ୧୨ଟା ପର୍ଯ୍ୟନ୍ତ ପଞ୍ଜାବରେ ଇଣ୍ଟନେଟ ସେବା ବନ୍ଦ ରଖାଯାଇଛି । ଏବେ ବି ଅମୃତପାଲ ଫେରାର ଅଛି ।

ଆଜି ଅମୃତପାଲଙ୍କ କିଛି ସମର୍ଥକ ସୋସିଆଲ ମିଡ଼ିଆରେ କିଛି ଭିଡିଓ ପୋଷ୍ଟ କରି ପୋଲିସ ସେମାନଙ୍କ ପିଛା କରୁଥିବା କହୁଥିବା ଦେଖିବାକୁ ମିଳିଥିଲା । ଗୋଟିଏ ଭିଡିଓରେ ଅମୃତପାଲ ଏକ ଗାଡ଼ିରେ ବସିଥିବା ବେଳେ ତାଙ୍କ ଜଣେ ସହଯୋଗୀ ପୋଲିସ ଆମ ପଛରେ ପଡ଼ିଛି କହୁଥିବା ଶୁଣିବାକୁ ମିଳିଥିଲା ।

ସୁଚନାଯୋଗ୍ୟ, ଗତମାସ ୨୩ ତାରିଖରେ ଅମୃତପାଲ ଏବଂ ତାଙ୍କ ସମର୍ଥକ ଏକ ଖଣ୍ଡା ଓ ପିସ୍ତଲ ଧରି ଅଜନାଲା ଥାନାରେ ପଶି ଯାଇଥିଲେ । ଜଣେ ସମର୍ଥକଙ୍କୁ ଛଡ଼ାଇବା ପାଇଁ ସେମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଅମୃତପାଲଙ୍କୁ ଗିରଫ ନକରିବା କାରଣରୁ ପଞ୍ଜାବ ପୋଲିସ ସବୁ ମହଲରେ ସମାଲୋଚନାର ଶିକାର ହେଉଛି ।

ଅମୃତସରର ଜଲ୍ଲାପୁର ଖେଡା ଗାଁରେ ଜନ୍ମିତ ଅମୃତପାଲ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛି । ସେ ନିଜକୁ ଖାଲିସ୍ତାନୀ ଆତଙ୍କବାଦୀ ଜେନେରାଲ ସିଂ ଭଣ୍ଡରାଓ୍ବାଲେର ସମର୍ଥକ ବୋଲି ଦାବି କରିଥାଏ । ଦୁବାଇରେ ରହି ସେ ଟ୍ରାନ୍ସପୋର୍ଟ କାମ କରୁଥିଲା । ଗତବର୍ଷ ନଭେମ୍ବରରେ ସେ ଦୁବାଇରେ ବିଜନେସ ବନ୍ଦ କରି ପଞ୍ଜାବ ପଳାଇ ଆସିଥିଲା । ଖାଲିସ୍ତାନ, ଭଣ୍ଡରାଓ୍ବାଲେ ଓ ଏମାନଙ୍କ ସମ୍ପର୍କରେ ଜଡିତ ସବୁ ଜ୍ଞାନ ସେ ଇଣ୍ଟରନେଟରୁ ପାଇଥିଲା ।