ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆସନ୍ତା ୧୫ ଦିନ ମଧ୍ୟରେ ଗଢିବେ ନୂଆ ଦଳ

1 min read

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଗଢିବେ ନୂଆ ଦଳ । ଆସନ୍ତା ୧୫ ଦିନ ମଧ୍ୟରେ ସେ ନୂଆ ଦଳ ଗଢିବେ ବୋଲି ସୂଚନା ମିଳିଛି । ଅମରିନ୍ଦରଙ୍କ ମହଲରୁ ପ୍ରକାଶ ଯେ, କ୍ୟାପଟେନ ଖୁବ୍ ଶୀଘ୍ର ଏକ ନୂଆ ଦଳ ଗଠନ କରିବେ । ସେପଟେ ନବଜୋତ ସିଂ ସିଦ୍ଧୁ ପୁଣି ଥରେ ପିସିସି ସଭାପତି ରହିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ମନ୍ତ୍ରିମଣ୍ଡଳରେ ବିଭିନ୍ନ ଦୁର୍ନୀତିଗ୍ରସ୍ତଙ୍କୁ ସାମିଲ କରିବା, ଆଡଭୋକେଟ ଜେନରାଲ ଭାବେ ଏପିଏସ ଦେଓଲଙ୍କୁ ନିଯୁକ୍ତି ଦେବା ଓ ଇକବଲ ପ୍ରୀତ ସିଂହ ସାହୋତାଙ୍କୁ ଅତିରିକ୍ତ ଡିଜିପି ଦାୟିତ୍ବ ଦେବା ପ୍ରତିବାଦରେ ସିଦ୍ଧୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ।

ସିଦ୍ଧୁଙ୍କ ସହ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ହାଇକମାଣ୍ଡଙ୍କ ସହ ଆଲୋଚନା କରିବା ଲାଗି ଚନ୍ନୀ ଦିଲ୍ଲୀ ଯାଇଛନ୍ତି । ସେଠାରେ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନେବା ଆଶା ରହିଛି । ତେଣେ ରାଜ୍ୟରେ କଂଗ୍ରେସର ଏହି ଦୁରବସ୍ଥା ନେଇ ରାଦୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂ । ସେ କହିଛନ୍ତି- ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦରଙ୍କ ଇସ୍ତଫା ଘଟଣା ଦେଶକୁ ଚମକାଇ ଦେଇଥିଲା । ବିଜେପିରୁ ଆସି କଂଗ୍ରେସରେ ସାମିଲ ହୋଇଥିବା ନବଜୋତ ସିଂ ସିଦ୍ଧୁ ଦଳ ଲାଗି ଅଧିକ ସଙ୍କଟ ସୃଷ୍ଟି କରିଥିଲେ । ଏପରିକି ସରକାରରେ ବ୍ୟାପକ ଅସ୍ଥିରତା ସୃଷ୍ଟି କରିଥିଲେ ।

Leave a Reply