ବୃଦ୍ଧି ପାଇଲା ଆମାଜନ ପ୍ରାଇମ୍‌ ସବସ୍କ୍ରିପସନ୍‌, ଜାଣନ୍ତୁ କେବେଠୁ ହେବ ଲାଗୁ

1 min read

ନୂଆଦିଲ୍ଲୀ: ଭାରତର ବୃହତ ଟେଲିକମ୍‌ କମ୍ପାନୀ ଏୟାରଟେଲ ଏବଂ ଭୋଡାଫୋନ୍‌ ନିଜର ଟାରିଫ୍‌ ବୃଦ୍ଧିକରିବାକୁ ଘୋଷଣା କରିସାରିଛନ୍ତି । ଏବେ ଆମାଜନ୍‌ ପ୍ରାଇମ୍ ମଧ୍ୟ ତାର ଗ୍ରାହକଙ୍କୁ ଝଟ୍‌କା ଦେବାକୁ ଯାଉଛି । ଆମାଜନ୍‌ ପ୍ରାଇମ୍‌ ବ୍ୟବହାର କରୁଥିବା କିମ୍ବା ନୂଆ ସବ୍‌ସ୍କ୍ରିପସନ୍‌ ନେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ବଡ ଖବର । ଆସନ୍ତା ଡିସେମ୍ବର ୧୪ ତାରିଖରୁ Amazon Prime ର ସବ୍‌ସ୍କ୍ରିପସନ୍‌ ଦେୟ ବୃଦ୍ଧି ପାଇବାକୁ ଯାଉଛି । ଏ ନେଇ ନିଜ FAQ ପେଜ୍‌ରେ ଘୋଷଣା କରିଛି ଆମାଜନ୍ ।

କମ୍ପାନୀ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ, ‘ଆମାଜନ ଗ୍ରାହକଙ୍କ ପାଇଁ ବଡ ଖବର ରହିଛି । ସୀମିତ ସମୟ ମଧ୍ୟରେ ଗ୍ରାହକ ଯଦି ପୁରୁଣା ସବ୍‌ସ୍କ୍ରିପସନ୍‌ର ଫାଇଦା ନନିଅନ୍ତି ତେବେ ଆଗାମୀ ଦିନରେ ଏହା ବୃଦ୍ଧି ପାଇବ । ଡିସେମ୍ବର ୧୩ ଯାଏଁ ପୁରୁଣା ଟାରିଫ୍‌ ଜାରି ରହିବ । ଏହା ପରେ ଆମାଜନ ତାର ଟାରିଫ୍‌ ବୃଦ୍ଧି କରିବ । ତେଣୁ ଗ୍ରାହକମାନେ ଖୁବଶୀଘ୍ର ସବ୍‌ସ୍କ୍ରିପସନ୍‌ ରିନ୍ୟୁଆଲ କରିନିଅନ୍ତୁ ।’

ଆମାଜନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ,​ ପୂର୍ବରୁ ମାସିକ ପ୍ଲାନ୍‌ର ଅଫର ୧୨୯ ଟଙ୍କା ଥିଲା ଯାହାକି ଡିସେମ୍ବର ୧୩ ତାରିଖ ପରେ ୧୭୯ ଟଙ୍କା ହୋଇଯିବ । ସେହିଭଳି ୩ ମାସିକିଆ ପ୍ଲାନ୍‌ ପୂର୍ବରୁ ୩୨୯ ଟଙ୍କା ଥିଲା ଏବେ ତାହା ବୃଦ୍ଧିପାଇ ୪୫୯ ଟଙ୍କା ହୋଇଯିବ । ଏହା ସହିତ ବାର୍ଷିକ ପ୍ୟାକ୍‌ ୯୯୯ ଟଙ୍କାରୁ ବୃଦ୍ଧିପାଇ ୧୪୯୯ ଟଙ୍କା ହୋଇଯିବ ।

ଟାରିଫ୍ ବଢାଇବାର କାରଣ ମଧ୍ୟ କହିଛି ଆମାଜନ । କମ୍ପାନୀ ପକ୍ଷରୁ ଜାରି ସୂଚନା ଅନୁସାରେ, ‘ବିଗତ ୫ ବର୍ଷ ହେଲା ଆମାଜନ ପ୍ରାଇମ୍‌ ଲଞ୍ଚ ହେବା ପରଠାରୁ ଅନେକ ସୁବିଧା ଯୋଗାଇଆସିଛି । ଏହାକୁ ଅଧିକ ସୁବିଧାଜନକ କରିବା ପାଇଁ ବିଭିନ୍ନ ପ୍ରୋଗ୍ରାମ ମଧ୍ୟ ଆଡ୍‌ କରାଯାଇଛି । ସେଥିପାଇଁ କମ୍ପାନୀକୁ ଅଧିକ ଅର୍ଥ ନିବେଶ କରିବାକୁ ମଧ୍ୟ ପଡୁଛି । ତେଣୁ ଗ୍ରାହକଙ୍କୁ ସୁହାଇଲା ଭଳି ମୂଲ୍ୟ ବୃଦ୍ଧି କରାଯାଇଛି । ଆଗକୁ ମଧ୍ୟ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନୀ ନିଷ୍ପତ୍ତି ନେବ ।’

Leave a Reply