ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଅଭିଯୋଗ

ଯାଜପୁର: ଛାତ୍ରୀଙ୍କୁ ମାନସିକ ନିର୍ଯାତନା ସହ ଅଶାଳୀନ ବ୍ୟବହାର ଅଭିଯୋଗ । ଯାଜପୁର ଜିଲ୍ଲା ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରୁ ଆସିଛି ଏମିତି ସାଂଘାତିକ ଅଭିଯୋଗ । ଏଜୁକେସନ୍ ବିଭାଗର ମୁଖ୍ୟ ଅଧ୍ୟାପକ ତାପସ ରଞ୍ଜନ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କଲେଜରେ ଛାତ୍ର ଅଶାନ୍ତି ।

ଅଧ୍ୟାପକ ତାପସ କଲେଜର ଯୁକ୍ତ ୩ କଳା ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ଦୀର୍ଘଦିନ ହେବ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଭୟରେ ଛାତ୍ରୀ ଜଣକ କାହାକୁ କିଛି କହୁ ନଥିବାବେଳେ ଆଜି ସାଙ୍ଗମାନଙ୍କୁ ଜଣାଇଥିଲେ । ଏନେଇ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ । ଉତ୍ତେଜନା ପରେ ପୋଲିସ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସେପଟେ ଘଟଣାକୁ ସଂପୃକ୍ତ ଅଧ୍ୟାପକ ଅସ୍ବୀକାର କରିଥିବାବେଳେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଧ୍ୟକ୍ଷ ।