କରୋନା ବାହାନାରେ ଯୌତୁକ ନିର୍ଯାତନା?

କରୋନା ଗାଁରୁ ଦେଶ ଚାରିଆଡେ ସୃଷ୍ଟି କରିଛି ଆତଙ୍କ । ବଜାରରୁ ସାନିଟାଇଜର ଗାଏବ ହେଲା ଭଳି ଲୋକଙ୍କ ମନରୁ ମାନବିକତା ମଧ୍ୟ ଉଭାନ ହେଲାଣି । ସେହିଭଳି ଗୋଟିଏ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରରେ । ୧୨ ଦିନ ବିବାହିତା ଜଣେ ନବବଧୂଙ୍କୁ ଶାଶୂଘର ଲୋକ କରୋନା ସନ୍ଦେହରେ ତଡି ଦେଇଥିବା ଅଭିଯୋଗ ହେଉଛି ।

ନବରଙ୍ଗପୁର ଜିଲ୍ଲାର ଉମରକୋଟର ଯୁବରାଜ ଓକିଲଙ୍କ ପୁଅ ଜୟନ୍ତ ଓକିଲଙ୍କର ସୁର୍ଡମା ଗାଁର ହାରାଧନ ସରକାରଙ୍କ ଝିଅ ପୂଜାଙ୍କର ବିବାହ ହୋଇଥିଲା । ମାର୍ଚ୍ଚ ୨ ତାରିଖ ଦିନ ବାହାଘର ହୋଇଥିଲା ।

ଏହାପରେ ଆରମ୍ଭ ହୋଇଥିଲା ପୂଜାଙ୍କ ଦୁଃଖ । ବାହାଘରର କେଇଦିନ ପରେ ପୂଜାଙ୍କୁ ଅଧିକ ଯୌତୁକ ଆଣିବା ପାଇଁ ଶାଶୂଘର ତରଫରୁ ଦାବି ହୋଇଥିଲା । ଏଥିପାଇଁ ତାଙ୍କୁ ନିର୍ଯାତନା ମଧ୍ୟ ଦିଆଯାଉଥିଲା । ଫଳରେ ପୂଜା ଅସୁସ୍ଥ ହୋଇପଡିଥିଲେ । ପୂଜା ଅସୁସ୍ଥ ହେବା ପରେ ତାଙ୍କୁ ଘରେ ବିଛଣାରେ ଶୋଇବାକୁ ଦିଆ ଯାଉ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଯେ, ତାଙ୍କୁ କରୋନା ହୋଇଛି ଏମିତି ମିଛ ଅଭିଯୋଗ କରି ତାଙ୍କୁ ଖଟରେ ଶୋଇବାକୁ ଦିଆଯାଉନଥିଲା ।

ବିବାହର ୧୦ ଦିନ ପରେ ପୂଜାଙ୍କୁ ଶାଶୁ ଘର ଲୋକ ତାଙ୍କ ଘରେ ଛାଡି ଦେଇଥିଲେ । ଏହା ସହ ସେ ନେଇଥିବା ସମସ୍ତ ଯୌତୁକ ସାମଗ୍ରୀକୁ ଫେରାଇ ଦେଇଥିଲେ । ଘଟଣାର ସମାଧାନ ପାଇଁ ସୁର୍ଡୁମା ଗାଁରେ ଉଭୟ ପକ୍ଷକୁ ନେଇ ବୈଠକ ବସିଥିଲା । ତେବେ ସମସ୍ୟାର କୌଣସି ସମାଧାନ ସୂତ୍ର ବାହାରି ପାରିନଥିଲା । ପୂଜାକୁ ନିଜ ଘରକୁ ନେବାକୁ ସ୍ୱାମୀ ଜୟନ୍ତ ମନା କରିଦେବା ପରେ ଗାଁ ଲୋକ ଉତକ୍ଷିପ୍ତ ହୋଇଥିଲେ । ସେମାନେ ଜୟନ୍ତଙ୍କୁ ଅଟକ ରଖିଥିଲେ । ଏହାପରେ ପୂଜା ନିଜେ ଥାନାରେ ଜୟନ୍ତଙ୍କ ବିରୋଧରେ ଏତଲା ଦେଇଥିଲେ । ତାଙ୍କ ଏତଲା ଆଧାରରେ ପୋଲିସ ଜୟନ୍ତଙ୍କୁ ଗିରଫ କରିଛି ।

Leave a Reply