ଭୂମିକମ୍ପ, ବନ୍ୟା, ବଜ୍ରାଘାତ, ଝଡ ଆଦି କ୍ଷେତ୍ରରେ ଦାୟୀ ରହିବନି ବ୍ୟାଙ୍କ

ନୂଆଦିଲ୍ଲୀ: ବଦଳିଲା ବ୍ୟାଙ୍କ ଲକର ନିୟମ । ବ୍ୟାଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଏହି ସୁବିଧା ଲାଗି କିଛି ନିୟମରେ ପରିବର୍ତ୍ତନ ଆଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆସନ୍ତା ଜାନୁଆରୀ ୧ରୁ ଲାଗୁ ହେବ ନିୟମ । ନୂଆ ବ୍ୟବସ୍ଥା ଅନୁସାରେ ଭୂମିକମ୍ପ, ବନ୍ୟା, ବଜ୍ରାଘାତ, ଝଡ ଆଦି କ୍ଷେତ୍ରରେ ବ୍ୟାଙ୍କ ଦାୟୀ ରହିବ ନାହିଁ । ତେବେ ଏହାର ସୁରକ୍ଷା ନିଶ୍ଚିତ କରିବା ଦିଗରେ ବ୍ୟାଙ୍କ ପଦକ୍ଷେପ ନେବ । ଡକାୟତି ଓ ଚୋରି କ୍ଷେତ୍ରରେ ବ୍ୟାଙ୍କ ଦାୟୀ ରହିବା ବ୍ୟବସ୍ଥା ରହିବ । ଲକର ଏଗ୍ରିମେଣ୍ଟରେ ଏଣିକି ଏକ ନୂଆ ବ୍ୟବସ୍ଥା ରହିବ । ଏଥିରେ ଗ୍ରାହକ ଲକରର କ୍ଷତି ପହଞ୍ଚାଇବା ପରି କୌଣସି ସାମଗ୍ରୀ ରଖିବେ ନାହିଁ ବୋଲି ବ୍ୟବସ୍ଥା ରହିବ ।

ବ୍ୟାଙ୍କିଂ ଓ ପ୍ରଯୁକ୍ତିକୁ ଆଧାର କରି ଆରବିଆଇ ଏହି ନିଷ୍ପତ୍ତି ନେଇଛି । ଭାରତୀୟ ବ୍ୟାଙ୍କ ଆସୋସିଏସନ ବା ଆଇବିଏର ଫିଡବ୍ୟାକକୁ ଭିତ୍ତି କରି ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ଅନେକ ସମୟରେ ଲକରକୁ ଭଡାରେ ନେଇଥିବା ଗ୍ରାହକମାନେ ଲକରର ମ୍ୟାନେଜମେଣ୍ଟ କରୁନାହାନ୍ତି ବା ଚାର୍ଜ ବି ଠିକ୍ ସମୟରେ ଦାଖଲ କରୁନାହାନ୍ତି । ଠିକ୍ ସମୟରେ ଦେୟ ପାଉ ନଥିବାରୁ ବ୍ୟାଙ୍କଗୁଡିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଲକର ଆଲଟମେଣ୍ଟ ସମୟରେ ଟର୍ମ ଡିପୋଜିଟ ନେବା ଲାଗି ବ୍ୟାଙ୍କଗୁଡିକୁ କୁହାଯାଇଛି ।

ଏଥିରେ ରହିଛି ୩ ବର୍ଷର ଭଡା ତଥା ଲକର ଭାଙ୍ଗିବା ଲାଗି ଆବଶ୍ୟକ ହେଉଥିବା ଖର୍ଚ୍ଚ । ତେବେ ବର୍ତ୍ତମାନ ରହିଥିବା ଲକର ହୋଲଡରଙ୍କ କ୍ଷେତ୍ରରେ ଟର୍ମ ଡିପୋଜିଟ ଦାଖଲ କରିବା ବ୍ୟବସ୍ଥା ରହିବ ନାହିଁ । ଏହା ସହ ଯେଉଁମାନେ ବର୍ତ୍ତମାନ ଆକାଉଣ୍ଟ ଅପରେଟ କରୁଛନ୍ତି ସେମାନଙ୍କ ଲାଗି ବି ଏହି ନିୟମ ଲାଗୁ ହେବ ନାହିଁ । ଯଦି ଲକର ଭଡା ଆଗୁଆ ନିଆଯାଇଥାଏ ତେବେ ପରେ ଏହା ଫେରାଇ ଦିଆଯିବ । ଯଦି ଗ୍ରାହକ ଲଗାତର ୩ ବର୍ଷ ଧରି ଭଡା ନଦେବେ ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଲକରକୁ ଭାଙ୍ଗିପାରିବେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବି ସେମାନଙ୍କ ଉପଭୋକ୍ତାଙ୍କୁ ଅବଗତ କରାଇବା ଲାଗି ବ୍ୟବସ୍ଥା କରିବେ ।

Leave a Reply