କଂଗ୍ରେସ ସହ ତମାମ ବିରୋଧୀ ଦଳ ସାମିଲ, ଖଡଗେଙ୍କ ଅଫିସରେ ଆଗାମୀ ରଣନୀତି ନେଇ ଆଲୋଚନା

ନୂଆଦିଲ୍ଲୀ: ଏକଛତ୍ରବାଦୀ ଶାସନ ବିରୋଧରେ ଜାରି ରହିବ ଲଢ଼େଇ । ଗଣତନ୍ତ୍ରର ରକ୍ଷା ପାଇଁ କଂଗ୍ରେସ ସହ ସାଥ୍ ଦେଇଛନ୍ତି ତମାମ ବିରୋଧୀ ଦଳ । ଶରଦ ପାଓ୍ବାରଙ୍କ ଏନସିପି, ନୀତୀଶଙ୍କ ଜେଡିୟୁ, ତେଲେଙ୍ଗାନାର ଶାସକ ଦଳ ବିଆରଏସ, ସିପିଏମ, ସିପିଆଇ, ଆମ ଆଦମୀ ପାର୍ଟି, ଏଆଇଡିଏମକେ, ଟିଏମସି, ଆରଜେଡି, ସମାଜବାଦୀ ପାର୍ଟି, ଜେଏମଏମ, ଡିଏମକେ ଆଦି ୧୮ଟି ଦଳ ଏକଜୁଟ ହୋଇଛନ୍ତି । ଆଜି ବିରୋଧୀଙ୍କ ସହ ଶିବସେନା ମଧ୍ୟ ସାମିଲ ହୋଇପାରେ । ଆଗାମୀ ରଣନୀତି ନେଇ ପାର୍ଲାମେଣ୍ଟ ପରିସରରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟରେ ବିରୋଧୀଙ୍କ ବୈଠକରେ ନିଷ୍ପତ୍ତି ନିଆଯିବ ।

ସେପଟେ ଭ୍ରଷ୍ଟାଚାରୀଙ୍କ ବିରୋଧରେ କଂଗ୍ରେସ ସ୍ବର ଉଠାଇବା ଜାରି ରଖିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ସାଂସଦ ପ୍ରମୋଦ ତିଓ୍ବାରୀ । ଦେଶର ଟଙ୍କା ଲୁଟି ଫେରାର ହୋଇଯାଇଥିବା ମେହୁଲ ଚୋକସୀ, ନିରବ ମୋଦୀ, ଲଳିତ ମୋଦୀଙ୍କୁ ଓବିସି ସାହାରାରେ ବିଜେପି ବଞ୍ଚାଇବାକୁ ଚାହୁଁଛି ବୋଲି ସେ କହିଛନ୍ତି । ବିଜେପି ବିରୋଧରେ କହିବା ଦେଶ ବିରୋଧରେ କହିବା ନୁହେଁ । ଆଦାନୀ ପ୍ରସଙ୍ଗ ପାଇଁ ସଂସଦ ଚଳାଇବାକୁ ଦେଉନି ବିଜେପି । ପାର୍ଲାମେଣ୍ଟରେ ଆଦାନୀ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟର ଚର୍ଚ୍ଚା ହେଲେ ବିଜେପିର ମୁଖା ଖୋଲିଯିବ ବୋଲି ପ୍ରମୋଦ ତିଓ୍ବାରୀ କହିଛନ୍ତି । ସେପଟେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସଦସ୍ୟତା ରଦ୍ଦ ପ୍ରସଙ୍ଗ ଉପରେ ଆମେରିକା ନଜର ରଖିଛି ବୋଲି ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।