ଅଣ୍ଡାଦିଆ କୁକୁଡା ଚାଷୀଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର: ଦୁଇ ଦିନ ଧରି ଚାଲିଥିବା ଅଣ୍ଡା ଦିଆ କୁକୁଡ଼ା ଚାଷୀଙ୍କ ଆନ୍ଦୋଳନ ସ୍ଥଗିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଆନ୍ଦୋଳନ ସ୍ଥଗିତ ରହିଲା  । ଚାଷୀଙ୍କ ଆନ୍ଦୋଳନ ସଂକ୍ରାନ୍ତରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ  ।

ଜାତୀୟ ଅଣ୍ଡା ସମନ୍ବୟ କମିଟିର ମନମାନିକୁ ଅଣ୍ଡାଦିଆ କୁକୁଡା ଚାଷୀ ଜୋରଦାର ବିରୋଧ କରିଥିଲେ । ଏନଇସିସି ଚଳାଇଥିବା ଚାଷୀମାରଣ ନୀତି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ଚାଷୀ । ଗୋଟିଏ ଅଣ୍ଡାର ଉତ୍ପାଦନ ଖର୍ଚ୍ଚ ପାଖାପାଖି ୪ ଟଙ୍କା ୭୫ ପଇସା ପଡୁଥିବା ବେଳେ ଖାଉଟି ସାଢେ ୬ ଟଙ୍କାରୁ ୭ଟଙ୍କାରେ କିଣୁଛନ୍ତି । କିନ୍ତୁ ଚାଷୀଙ୍କଠାରୁ ବ୍ୟବସାୟୀ ଅଣ୍ଡା କିଣୁଛନ୍ତି ମାତ୍ର ୩ ଟଙ୍କା ୭୦ ପଇସାରେ । ଅଣ୍ଡା ପିଛା ଚାଷୀ କ୍ଷତି ସହୁଛନ୍ତି ୧ ଟଙ୍କା ୭୦ ପଇସାରୁ ଅଧିକ । ଏପ୍ରିଲ ୪ ତାରିଖରେ ଏନେଇ ଏନଇସିସି ବିରୋଧରେ ଆନ୍ଦୋଳନ ହୋଇଥିଲା । ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ହେଲେ ଦାବି ପୂରଣ ନ ହେବାରୁ ଖୋର୍ଦ୍ଧା ଭୁବନେଶ୍ବର ରାସ୍ତାର ଗଙ୍ଗପଡ଼ା ଛକ ନିକଟରେ ବିକ୍ଷୋଭ କରିଥିଲେ ଚାଷୀ ।