ସେରୋ ସର୍ଭେରେ ସାମିଲ ହେବେ ସବୁ ବର୍ଗର ଲୋକ

ଭୁବନେଶ୍ୱର:  ସେରୋ ସର୍ଭେ କେବଳ ଶିଶୁଙ୍କ ଲାଗି ନୁହେଁ, ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକ ଏଥିରେ ସାମିଲ ହେବେ । ରାଜ୍ୟର କେତେ ଲୋକଙ୍କ ଠାରେ ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଛି, ତାହା ଜାଣିବା ଲାଗି ଏହା କରାଯିବ । ପୂର୍ବର ନ୍ୟାସନାଲ ସେରୋ ସର୍ଭେରେ ରାଜ୍ୟର ୩ଟି ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଥିଲା । ଏବେ ୧୨ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ ।

ପ୍ରଥମ ଓ ଦ୍ଵିତୀୟ ଲହରରେ ୦ରୁ ୧୦ ବର୍ଷ ବୟସର ୩.୫% ପିଲା ସଂକ୍ରମିତ ହେଉଥିଲେ । ୧୦ରୁ ୧୮ ବର୍ଷର ୮ରୁ ୮.୫% ପିଲା ପଜିଟିଭ ହେଉଥିଲେ । ଦ୍ଵିତୀୟ ଲହରରେ ଡେଲ୍ଟାର ପ୍ରାଦୁର୍ଭାବ ସତ୍ତ୍ୱେ ପିଲାଙ୍କ ସଂକ୍ରମଣ ହାର ୧୨% ପାଖାପାଖି ଥିଲା । ପିଲାମାନେ ପ୍ରାୟତଃ ଗୁରୁତର ହୁଅନ୍ତି ନାହିଁ । ତେଣୁ ଡାକ୍ତରଖାନା ଯିବା ପିଲାଙ୍କ ସଂଖ୍ୟା ବହୁତ କମ । ଆଇସିୟୁ ଯିବା ପିଲାଙ୍କ ସଂଖ୍ୟା ଢେର କମ । ଆକଳନ ଅନୁସାରେ ଯେତିକି ପିଲା ସଂକ୍ରମିତ ହେବେ, ସେଥିରୁ ୫ ରୁ ୬% ଡାକ୍ତରଖାନା ଯିବେ ବୋଲି କେନ୍ଦ୍ର ସରକାରଙ୍କ ଆକଳନ କହୁଛି ।

ବର୍ତ୍ତମାନଠାରୁ ଆତଙ୍କିତ ହେବାର କିଛି ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏପଟେ ରାଜ୍ୟରେ କରୋନା ସ୍ଥିତି କିଛି ମାତ୍ରାରେ ଉନ୍ନତି ହୋଇଛି । ହେଲେ ଦ୍ଵିତୀୟ ଲହର ସମ୍ପୂର୍ଣ୍ଣ ସରିନି । ଦୈନିକ ସଂକ୍ରମଣ ୭୦୦ରୁ ୮୦୦ ଭିତରେ ରହୁଛି । ସେ ଦୃଷ୍ଟିରୁ ଆମେ ଟିକେ ଆଶ୍ୱସ୍ତ । ଅନେକ ଆକଳନ କରିଛନ୍ତି, ତୃତୀୟ ଲହର ଆସିବ । ତେଣୁ ଏହାର ମୁକାବିଲା କେମିତି କରିବା । ସରକାର ବେଡ଼ ସଂଖ୍ୟା ବଢାଇଛନ୍ତି, ଟୀକାକରଣ ଚାଲୁ ରଖିଛନ୍ତି, ଲୋକଙ୍କୁ ସଚେତନ ବି କରୁଛନ୍ତି । ସେ ଦୃଷ୍ଟିରୁ ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ ଏବେ ଲୋକମାନେ କୋଭିଡ ନିୟମ ପାଳନ କଲେ ସଂକ୍ରମଣ କମିବ ବୋଲି ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି । ଶିଶୁଙ୍କ ସଂକ୍ରମଣ ରୋକିବାକୁ ଅଭିବାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସତର୍କ ରହିବାକୁ ପଡ଼ିବ ।

Leave a Reply