ଦିପାବଳୀ ପୂର୍ବରୁ ପୁଣି ଦିଲ୍ଲୀରେ ବଢିଲା ପ୍ରଦୂଷଣ, ଅତି ଖରାପ ସ୍ତରରେ ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ବଢିଲା ପ୍ରଦୂଷଣ । ଆଗକୁ ଦୀପାବଳି ଆସୁଥିବାବେଳେ ଆଜି ରାଜଧାନୀର ଏୟାର କ୍ବାଲିଟି ଇଣ୍ଡେକ୍ସ ଖରାପ ହୋଇଛି । ଗତକାଲି ଏକ୍ୟୁଆଇ ୨୬୨ ହୋଇଥିବାବେଳେ ଆଜି ଏହି ଏକ୍ୟୁଆଇ ଇଣ୍ଡେକ୍ସା ୩୦୦ ପାର ହେବା ଆଶଙ୍କା କରାଯାଉଛି ବୋଲି କହିଛି କମିଶନ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ ବା ସିଏକ୍ୟୁଏମ । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରଏ କହିଛନ୍ତି ଦିଲ୍ଲୀରେ ପ୍ରଦୂଷଣ ବଢିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ।

ସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ସିଏକ୍ୟୁଏମର ନିର୍ଦ୍ଦେଶ ପାଳନ ଉପରେ ଗୁରୁତ୍ବ ଦିଆଯାଉଛି । ପ୍ରଦୂଷଣ ରୋକିବା ନେଇ ଗତକାଲି ୧୫ ସୂତ୍ରୀ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏକ୍ୟୁଆଇ ୦ରୁ ୫୦ ହେଲେ ତାହାକୁ ଉତ୍ତମ କୁହାଯାଏ । ୫୧ରୁ ୧୦୦ ହେଲେ ସନ୍ତୋଷଜନକ, ୧୦୧ରୁ ୨୦୦ ହେଲେ ମଧ୍ୟମ, ୨୦୧ରୁ ୩୦୦ ହେଲେ ଖରାପ, ୩୦୧ରୁ ୪୦୦ ହେଲେ ଅତି ଖରାପ ଓ ୪୦୧ରୁ ୫୦୦ ହେଲେ ଅତି ଗୁରୁତର ବୋଲି ଧରାଯାଏ ।