ପାଇଲଟ କରୋନା ପଜିଟିଭ୍ ଜଣା ପଡିବା ପରେ ଅଧା ରାସ୍ତାରୁ ଫେରିଲା ଏୟାର ଇଣ୍ଡିଆ ବିମାନ !

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଗୋଟିଏ ବିମାନ ଶନିବାର ସକାଳୁ ଦିଲ୍ଲୀରୁ ଋଷ ପାଇଁ ଉଡିଥିଲା ।  ସବୁକିଛି ଠିକଠାକ୍ ଚାଲିଥିବା ବେଳେ ଗୋଟିଏ ଫୋନ ଆସିଲା । ଏବଂ ସେହି ସମୟରେ ଜଣାପଡ଼ିଲା ଉକ୍ତ ବିମାନକୁ ଚଲାଉଥିବା ପାଇଲଟ ଜଣକ କରୋନା ପଜିଟିଭ୍ । ତାପରେ ସାଙ୍ଗେ ସାଙ୍ଗେ ପାଇଲଟଙ୍କୁ ଦିଲ୍ଲୀ ଡକାଯାଇଥିଲା । ଏୟାର ଇଣ୍ଡିଆର ଏହି ଛୋଟିଆ ଭୁଲ ପାଇଁ ଆଜି ଏକ ବଡ଼ କରୋନା ବ୍ଲାଷ୍ଟ ହେଉ ହେଉ ରହିଗଲା ।

କିନ୍ତୁ ଆଶ୍ୱସ୍ଥିକର କଥା ହେଉଛି, ଫ୍ଲାଇଟରେ କୌଣସି ଯାତ୍ରୀ ନଥିଲେ

ଦିଲ୍ଲୀରୁ ମସ୍କୋ ଯାଉଥିବା ଏୟାର ଇଣ୍ଡିଆର ଏହି ବିମାନକୁ ଅଧା ରାସ୍ତାରୁ ହିଁ ଫେରିବାକୁ କୁହାଯାଇଥିଲା । ଏହି ସମୟରେ ବିମାନ ଉଜବେକିସ୍ତାନ ପର୍ଯ୍ୟନ୍ତ ପହଞ୍ଚିଥିଲା । ବିମାନ ଉଡ଼ାଣ ଭରିବା ପୂର୍ବରୁ ପାଇଲଟଙ୍କ କରୋନା ପରୀକ୍ଷଣର ରିପୋର୍ଟ ଯାଞ୍ଚ କରାଯାଇଥାଏ । କିନ୍ତୁ ଭୁଲରେ ଷ୍ଟାଫ୍  ପଜିଟିଭକୁ ନେଗେଟିଭ୍ ପଢିଦେଇଥିଲେ ଏବଂ ଏହାପରେ ପାଇଲଟଙ୍କୁ ମସ୍କୋ ପାଇଁ ପଠାଇ ଦିଆଗଲା । ବିମାନଟି ବନ୍ଦେ ଭାରତ ମିଶନ ଅନୁସାରେ ମସ୍କୋରେ ଫସି ରହିଥିବା ଭାରତୀଙ୍କୁ ଆଣିବାକୁ ଯାଉଥିଲା । ଏଥିପାଇଁ ଏହି ସମୟରେ କେବଳ ବିମାନରେ ରହୁଥିବା କର୍ମଚାରୀ ଥିଲେ ଏବଂ କୌଣସି ଯାତ୍ରୀ ନଥିଲେ । ଏବଂ ଯାତ୍ରୀମାନଙ୍କୁ ମସ୍କୋରୁ ଚଢିବାର ଥିଲା ।

ମିଳିଥିବା ସୂଚନା ଅନୁସାରେ, ବିମାନ ଦ୍ୱିପ୍ରହରେ ୧୨.୩୦ରେ ଦିଲ୍ଲୀ ଫେରିଥିଲା । ବିମାନରେ ଥିବା ସମସ୍ତ ସଦସ୍ୟଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇଛି । ଏବେ ବିମାନକୁ ମଧ୍ୟ ସାନିଟାଇଜ କରାଯିବ । ଏହି ସ୍ଥାନରେ ଆଉ ଏକ ବିମାନକୁ ମସ୍କୋକୁ ପଠା  ଯାଇଛି ।

ଏୟାର ଇଣ୍ଡିଆରୁ ମିଳିଥିବା ସୂଚନା ଅନୁସାରେ ଏମିତି ଭୁଲ ହେବାର କାରଣ କାର୍ଯ୍ୟର ଅଧିକ ଚାପ ହେତୁ ହୋଇଛି ।ସେ କହିଛନ୍ତି ଯେ, ପ୍ରତ୍ୟେକ ଦିନ ୩୦୦ ସଦସ୍ୟଙ୍କ ପରୀକ୍ଷଣ ହେଉଛି । ଏହାର ଫଳାଫଳ ଏକ କାଗଜରେ ଲେଖା ହୋଇ ଆସିଥାଏ । ଏଥିରେ ହିଁ ଏହି ଭୁଲ ହୋଇଯାଇଛି ।

ଯାତ୍ରୀ ବିହିନ ଏହି ବିମାନ ଶନିବାର ସକାଳେ ହିଁ ଉଡ଼ିଥିଲା । ବିମାନକୁ ୨ଘଣ୍ଟା ହୋଇଯାଇଥିଲା ସେତେବେଳେ ରିପୋର୍ଟ ଗୁଡ଼ିକୁ ପୁନଃ ନିରିକ୍ଷଣ କରାଯାଉଥିଲା ସେହି ସମୟରେ ଜଣା ପଡ଼ିଥିଲା ଯେ, ପାଇଲଟ ଜଣଙ୍କ କରୋନା ପଜିଟିଭ୍ । କିନ୍ତୁ ସେହି ଘଟଣାକୁ ଲୁଚାଇବା ପରିବର୍ତ୍ତେ ଏୟାର ଇଣ୍ଡିଆ ପାଇଲଟକୁ ସମ୍ପର୍କ କରି ଫେରିବାକୁ କହିଥିଲା ।

ମାର୍ଚ୍ଚରୁ ପାରିଶ୍ରମିକ ନାହିଁ କିନ୍ତୁ ଏୟାର ଇଣ୍ଡିଆ ତା କାମ ବନ୍ଦ କରିନାହିଁ

ଏବେ ପର୍ଯ୍ୟନ୍ତ ବନ୍ଦେ ଭାରତ ମିଶନ ଅନୁସାରେ ଶତାଧିକ ବିମାନ ଉଡ଼ାଣ ଭରୁଛି । ସବୁ ବିମାନ ଉଡ଼ାଣ ଭରିବା ପୂର୍ବରୁ କରୋନା ଟେଷ୍ଟ କରାଯାଉଛି । ମାର୍ଚ୍ଚ ମାସରୁ ଏୟାର ଇଣ୍ଡିଆ କର୍ମଚାରୀ ଦରମା ପାଇ ନାହାନ୍ତି । ତଥାପି ମଧ୍ୟ ଏୟାର ଇଣ୍ଡିଆର କର୍ମଚାରୀ ଏଭଳି ପରିସ୍ଥିତିରେ  ଦେଶ ପାଇଁ ଆଗକୁ ଆସି କାମ କରୁଛନ୍ତି । ଏୟାର ଇଣ୍ଡିଆର ଆର୍ଥିକ ପରିସ୍ଥିତି ଏବେ ଭଲ ନାହିଁ ତଥାପି ସେ ଦେଶର ସେବା କରିବାକୁ ତତ୍ପର ହୋଇଛି ।

Leave a Reply