ଫୋନି ବାତ୍ୟାରେ ବିଦ୍ୟୁତ ସରବରାହ ସଜାଡ଼ିଥିବା କର୍ମଚାରୀଙ୍କ ଟଙ୍କା ଦେଉନି ନେସ୍କୋ
1 min readଯାଜପୁର : ଅସମୟେ ସାଜିଥିଲେ ଦେବଦୂତ । ନିଜ ଘରଠାରୁ ବହୁ ଦୂରରେ ରହି ଦିନ ରାତି ଏକ କରି ଘନ ଅନ୍ଧକାରରେ ଜାଳିଥିଲେ ଆଲୁଅ । ଅସଜଡ଼ା ବିଦ୍ୟୁତସେବାକୁ ସଜାଡ଼ିଥିଲେ । ଅକ୍ଳାନ୍ତ ପରିଶ୍ରମ କରି ସବୁକିଛି ଠିକ୍ କରିଥିଲେ, ହେଲେ ଟଙ୍କା ନଦେଇ ଏହି ବିଦ୍ୟୁତ କର୍ମଚାରୀଙ୍କୁ ଠକି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଖବର ଆସିଛି ଯାଜପୁର ଜିଲ୍ଲାରୁ ।
ନିକଟରେ ଘଟିଥିବା ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ବିଦ୍ୟୁତ ସେବା। ଏହା ଏତେ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା ଯେ, ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଦ୍ୟୁତ ସରବରାହ ସପ୍ତାହେ ଯାଏଁ ଠପ ହୋଇଯାଇଥିଲା । ଏଥିରୁ ଏହାର ଭୟାବହତା ଆକଳନ କରାଯାଇପାରେ । ତେବେ ବାତ୍ୟା ପରେ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ବିଦ୍ୟୁତ କର୍ମଚାରୀଙ୍କୁ ବାତ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳରେ ନିୟୋଜିତ କରାଯାଇଥିଲା। ତେବେ ବିଦ୍ୟୁତ୍ କର୍ମଚାରୀଙ୍କ ଏହି ଦଳରେ ସାମିଲ ଥିଲେ ଯାଜପୁର ଜିଲ୍ଲାର ୬୨ ଜଣ କର୍ମଚାରୀ। ଏମାନେ ନେସ୍କୋ ଅଧିନରେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ଅଟନ୍ତି। ଏହି କାର୍ଯ୍ୟପାଇଁ ସେମାନଙ୍କୁ ଦୈନିକ ୫୫୫ ଟଙ୍କା ମଜୁରି ସହ ମାଗଣା ରହିବା ଖାଇବା ଦିଆଯିବାକୁ କୁହାଯାଇଥିଲା।
ଅନ୍ୟମାନଙ୍କ ସହ ମିଶି ଏହି କର୍ମଚାରୀ ମାନେ ନିଜ ଘରଠାରୁ ଦୂରରେ ରହି ଦିନରାତି ଏକ କରି ବିଦ୍ୟୁତ ସରବରାହକୁ ପୂର୍ବପରି ସ୍ୱାଭାବିକ କରାଇଥିଲେ । ସେ ସମୟରେ ସେମାନଙ୍କୁ ନିଜର ପାରିଶ୍ରମିକ ଦିଆ ନଯାଇ ପରେ ଦିଆଯିବ ବୋଲି କୁହାଯାଇଥିବା କର୍ମଚାରୀ ମାନେ ପ୍ରକାଶ କରିଛନ୍ତି। ତେବେ ଫୋନି ବାତ୍ୟାକୁ ୬ ମାସ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ୍ କର୍ମଚାରୀ ମାନେ ଏଯାଏଁ ସେମାନଙ୍କ ପାଉଣା ପାଇବାରୁ ବଞ୍ଚିତ ହୋଇଛନ୍ତି।
ଅଭିଯୋଗ ମୁତାବକ ଅନ୍ୟ ଜିଲ୍ଲାରୁ ଆସିଥିବା ବିଦ୍ୟୁତ କର୍ମଚାରୀମାନେ ସେମାନଙ୍କ ମଜୁରି ଟଙ୍କା ପାଇ ଯାଇଥିବା ବେଳେ ଯାଜପୁର ଜିଲ୍ଲାରୁ ଯାଇଥିବା ଏହି ୬୨ ଜଣ କର୍ମଚାରୀ ଏଯାଏଁ ମଜୁରି ଟଙ୍କା ପାଇନାହାନ୍ତି। ସେମାନେ ପାଉଣା ଦାବି କରି ଯାଜପୁର ରୋଡରେ ଥିବା ନେସ୍କୋ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଅନ୍ୟପଟେ ସରକାର ଏ ବାବଦର ଅର୍ଥ ସଂପୃକ୍ତ ବିଦ୍ୟୁତ ସରବରାହ ସଂସ୍ଥା ନେସ୍କୋ କୁ ପୈଠ କରିଥିବା ବେଳେ ନେସ୍କୋ ଏହି କର୍ମଚାରୀମାନଙ୍କୁ ମଜୁରି ଦେଇନଥିବା ଅଭିଯୋଗ ହୋଇଛି । ଏନେଇ କର୍ମଚାରୀ ମାନେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ପାଇ ପାରି ନାହାନ୍ତି, ଯାହାକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କର୍ମଚାରୀ ମାନେ ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି। ସେପଟେ ଏନେଇ ନେସ୍କୋ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଲୋକଙ୍କ ଆବଶ୍ୟକତା ସମୟରେ ନିଜର ଦିନରାତି ଏକ କରି ପରିସ୍ଥିତିକୁ ସ୍ୱାଭାବିକ କରିଥିବା ଏହି କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେବା ସମୟରେ ଏଭଳି ଅନିୟମିତତା ଦୁଃଖଦ ବିଷୟ । ')}