ଆହୁରି ବଢିବ ପାମ ଅଏଲ ତେଲ ଦର

1 min read

ଭୁବନେଶ୍ବର: ଋଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ବର ଅର୍ଥନୀତିକୁ ଦୋହଲାଇ ଦେଇଛି । ପେଟ୍ରୋଲ ଓ ଡିଜେଲ ରପ୍ତାନୀର ଏକ ବଡ ମାର୍କେଟ ଏହି ଦୁଇ ଦେଇ ଯୁଦ୍ଧରେ ଲିପ୍ତ ଥିବାରୁ ରପ୍ତାନୀ ଏକ ପ୍ରକାର ଠପ୍ ହୋଇଯାଇଛି । ଫଳରେ ଅଶୌଧିତ ତେଲ ଦେର ହୁ ହୁ ହୋଇ ବଢି ଚାଲିଛି । ଯାହାର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ପଡୁଛି । ବିଶେଷ କରି ଖାଇବା ତେଲ ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ବଜାରରୁ ଖାଇବା ତେଲ ଏକ ପ୍ରକାର ଉଭାନ ହୋଇଯାଇଥିବା ବେଳେ ଯାହା ବି ମିଳୁଛି ଦର ପୂର୍ବ ଅପେକ୍ଷା ୨୫ରୁ ୩୦ ଟଙ୍କା ବଢି ଯାଇଛି । ଏବେ ପୁଣି ଚିନ୍ତା ବଢାଇବାକୁ ଯାଉଛି ପାମ ଅଏଲ । ଖାସକରି ଭାରତୀୟଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବାକୁ ଯାଉଛି ପାମ ଅଏଲ ।

ପାମ ଅଏଲ ରପ୍ତାନିକାରୀ ଦେଶ ଇଣ୍ଡୋନେସିଆ ଏପ୍ରିଲ ୨୮ରୁ ଖାଇବା ତେଲ ରପ୍ତାନୀ ଉପରେ କଟକଣା ଲଗାଇଛି । ନିଜ ଦେଶରେ ଖାଇବା ତେଲର ଚାହିଦା ବଢାଇବା ଲକ୍ଷ୍ୟରେ ଇଣ୍ଡୋନେସିଆ ଏହି ନିଷ୍ପତ୍ତି ନେଇଛି । ଇଣ୍ଡୋନେସିଆର ଏହି ନିଷ୍ପତ୍ତି ପରେ ପାମୋଲିନ ତେଲର ମୂଲ୍ୟ ବଢିବାର ଆଶଙ୍କା ବଢିଛି । ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ବିଶ୍ବରେ ପାମ ଅଏଲ ଚାହିଦାର ୫୦ ପ୍ରତିଶତ ଇଣ୍ଡୋନେସିଆ ପୂରଣ କରିଥାଏ । ଭାରତ ଉଭୟ ମାଲେସିଆ ଓ ଇଣ୍ଡୋନେସିଆରୁ ପାମ ଅଏଲ ଆମଦାନୀ କରୁଥିଲା । କିଛି ବର୍ଷ ତଳେ ମାଲେସିଆ ସହ ବିବାଦ ପରେ ଭାରତ ଇଣ୍ଡୋନେସିଆରୁ ପାମ ଅଏଲ ଆମଦାନୀ ବଢାଇଥିଲା । ପାମ ଅଏଲ ମୂଲ୍ୟ ବଢିବା ପରେ ତାହାର ପ୍ରଭାବ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ଉପରେ ପଡିବାର ଆଶଙ୍କା ରହିଛି ।