ରାଜସ୍ଥାନ: ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଉଗ୍ର ହେଲା ବିଜେପି ଗୋଷ୍ଠୀ କନ୍ଦଳ

ଜୟପୁର: ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦେଖିବାକୁ ମିଳୁଛି ବିଜେପିର ଗୋଷ୍ଠୀ କନ୍ଦଳ । ଓଡ଼ିଶାର ବଲାଙ୍ଗୀରରେ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ବିଜେପି ନେତା ମାଡପିଟ ହେବା ଘଟଣା ଥାନାକୁ ଯାଇଛି । ବିଧାନସଭା ଟିକେଟ ଘୋଷଣା ପରେ ମଧ୍ୟପ୍ରଦେଶରେ ବିଜେପି ଅଡୁଆରେ ପଡ଼ିଯାଇଥିବାବେଳେ ଏବେ ରାଜସ୍ଥାନରେ ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରୁଛି । ଟିକେଟ ଘୋଷଣା ପରେ ରାଜ୍ୟ ବିଜେପିରେ ଦେଖା ଦେଇଛି ବିଦ୍ରୋହ ।

ଜଣାପଡୁଛି ରାଜସ୍ଥାନ ବିଜେପିରେ ଅଲ ଇଜ ନଟ୍ ଓ୍ବେଲ୍ । ପ୍ରାର୍ଥୀ ଘୋଷଣା ପରେ ଦଳରେ ଉଗ୍ର ହେଉଛି ଗୋଷ୍ଠୀ କନ୍ଦଳ । ବିଜେପି ଘୋଷଣା କରିଥିବା ୪୧ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ୭ ଜଣ ସାଂସଦ । ହେଲେ ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କର କୌଣସି ସମର୍ଥକ ନାହାଁନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଛି ।

ବସୁନ୍ଧରାଙ୍କ ଅତି ନିକଟତର କୁହାଯାଉଥିବା ବିଧାୟକ ନରପାଟ ସିଂ ରାଜଭି, ରାଜପାଲ ସିଂ ଶେଖାଓ୍ବତଙ୍କୁ ଟିକେଟ ମିଳିନି । କେନ୍ଦ୍ରୀୟ ନେତୃତ୍ବ ବସୁନ୍ଧରାଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି । ଟିକେଟ କଟିଥିବା ନେତା ଏବେ ଦଳରେ ବିଦ୍ରୋହ କରିବା ଆରମ୍ଭ କରି ଦେଇଛନ୍ତି । ସାଂସଦ ଦିୟା କୁମାରୀଙ୍କୁ ଦଳ ବିଦ୍ୟାଧର ନଗର ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିଛି । ସେପଟେ ଭରତପୁର ନଗର ବିଧାନସଭା କ୍ଷେତ୍ରରୁ ଅନିତା ସିଂ ଗୁରଜର ଟିକେଟ ନପାଇବା ପରେ ଦଳ ବିରୋଧରେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି । ଯାହା କେନ୍ଦ୍ରୀୟ ନେତାଙ୍କ ମୁଣ୍ଡବଥା ବଢ଼ାଇ ଦେଇଛି ।