ଆସାମ, ନାଗାଲାଣ୍ଡ ଓ ମଣିପୁରରେ କମିଲା ‘ଆଫସା’ କଟକଣା

ନୂଆଦିଲ୍ଲୀ: ପୂର୍ବାଞ୍ଚଳ ରାଜ୍ୟ ଆସାମ, ନାଗାଲାଣ୍ଡ ଓ ମଣିପୁର ଲୋକଙ୍କ ପାଇଁ ଆସ୍ବସ୍ତିକର ଖବର । ଆସନ୍ତାକାଲି ଏପ୍ରିଲ ୧ ତାରିଖରୁ ଏସବୁ ରାଜ୍ୟରେ କମିବାକୁ ଯାଉଛି ଆର୍ମଡ ଫୋର୍ସ ସ୍ପେଶାଲ ପାଓ୍ବାର ଆକ୍ଟ ବା ଆଫସା । ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ୍ କରି ଏହି  ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ‘ଦଶନ୍ଧୀ ଧରି ମଣିପୁର, ଆସାମ ଓ ନାଗାଲାଣ୍ଡରେ ଲାଗୁ ହୋଇଥିବା ଆଫସା ଅଧୀନ ଅଶାନ୍ତ କ୍ଷେତ୍ର କମ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।’

ସେ ଆଗକୁ ଲେଖିଛନ୍ତି, ‘ଦଶନ୍ଧୀ ଧରି ଉପେକ୍ଷିତ ପୂର୍ବୋତ୍ତର ରାଜ୍ୟ ଏବେ ଶାନ୍ତି, ସମୃଦ୍ଧି ଓ ବିକାଶର ନୂଆ ଯୁଗରେ ଆଗକୁ ବଢୁଛନ୍ତି । ଏଥିପାଇଁ ପୂର୍ବୋତ୍ତର ରାଜ୍ୟଙ୍କୁ ଧନ୍ୟବାଦ ଜଣାଉଛି ।’

ସୂଚନାଯୋଗ୍ୟ, କେନ୍ଦ୍ର ରିପୋର୍ଟ ଅନୁସାରେ ୨୦୧୪ ତୁଳନାରେ ୨୦୨୧ରେ ଏହି ସବୁ ରାଜ୍ୟରେ ଉଗ୍ରବାଦ ଘଟଣା ୭୪ ପ୍ରତିଶତ ହ୍ରାସ ପାଇଛି । ଏହାସହ ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କୁ ମୃତ୍ୟୁ ୬୦ ଓ ୮୪ ପ୍ରତିଶତ କମିଛି । ଗତ କିଛି ବର୍ଷ ମଧ୍ୟରେ ୭ ହଜାର ଉଗ୍ରବାଦୀ ଆତ୍ମସମର୍ପଣ କରିଛନ୍ତି ।

କେଉଁ ରାଜ୍ୟର କେତେ ଅଞ୍ଚଳରୁ ହଟିଲା ଆଫସା ?

୧୯୯୦ ମସିହାରେ ଆସାମାରେ ଲାଗୁ ହୋଇଥିଲା ଆଫସା । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ବଳବତ୍ତର ଥିଲା । ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଜିଲ୍ଲାରେ ଆଫସା ଅଧୀନକୁ ଆସୁଥିବା ଅଞ୍ଚଳକୁ କମାଇ ଦିଆଯାଇଛି । ଆସନ୍ତାକାଲିଠାରୁ ରାଜ୍ୟର ୨୩ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ଆଫସା ହଟାଇ ଦିଆଯିବ । ଏହାସହ ଗୋଟିଏ ଜିଲ୍ଲାରେ ଆଂଶିକ ଭାବେ ହଟୁଛି ।

ମଣିପୁରର ଇମ୍ଫାଲ ନଗରପାଳିକାକୁ ଛାଡି ପୂରା ରାଜ୍ୟରେ ୨୦୦୪ରେ ଆଫସା ଲାଗୁ କରାଯାଇଥିଲା । ଏବେ କେନ୍ଦ୍ର ସରକାର ୬ ଜିଲ୍ଲାର ୧୫ଟି ପୋଲିସ ଷ୍ଟେସନ ଅଞ୍ଚଳରୁ ଏହାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତ । ଯାହା ଆସନ୍ତାକାଲିଠାରୁ ଲାଗୁ ହେବ ।

ନାଗାଲାଣ୍ଡ କଥା ଯଦି କହିବା, ୧୯୯୫ରେ ପୂରା ରାଜ୍ୟରେ ଆଫସା ଲାଗୁ ହୋଇଥିଲା । ପର୍ଯ୍ୟାୟ କ୍ରମେ ରାଜ୍ୟରୁ ଆଫସା ହଟାଇବାକୁ ନେଇ କମିଟି ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମାନି ନେଇଛନ୍ତି । ଏହି କ୍ରମରେ ଏପ୍ରିଲ ୧ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ରାଜ୍ୟର ୭ ଜିଲ୍ଲାର ୧୫ ପୋଲିସ ଷ୍ଟେସନ ଅଞ୍ଚଳରୁ ଆଫସା ହଟିବାକୁ ଯାଉଛି ।

ସୂଚନାଯୋଗ୍ୟ, ୨୦୧୫ରେ ତ୍ରିପୁରା ଓ ୨୦୧୮ରେ ମେଘାଳୟରୁ ସମ୍ପୂର୍ଣ୍ଣ ରୂପେ ଆଫସା ହଟାଇ ଦିଆଯାଇଥିଲା । ୨୦୧୫ରେ ଅରୁଣାଚଳ ପ୍ରଦେଶରେ ଲାଗୁ ହୋଇଥିଲା ଆଫସା । ସେତେବେଳେ ରାଜ୍ୟର ୩ ଜିଲ୍ଲା, ଆସାମ ସହ ଲାଗୁ ଥିବା ୨୦ କିମି ସୀମା ଓ ଅନ୍ୟ ୯ ଜିଲ୍ଲାର ୧୬ଟି ପୋଲିସ ଷ୍ଟେସନରେ ଲାଗୁ ହୋଇଥିଲା । ଯାହା ଧିରେ ଧିରେ ହଟାଯାଇଥିଲା । ଏବେ ଅରୁଣାଚଳ ପ୍ରଦେଶର ୩ଟି ଜିଲ୍ଲା ଓ ଅନ୍ୟ ଏକ ଜିଲ୍ଲାର ୨ଟି ପୋଲିସ ଷ୍ଟେସନ ଅଞ୍ଚଳରେ ଆଫସା ରହିଛି ।