ଆଦିବାସୀ ମେଳା ଉଦଘାଟିତ; ଆଦିବାସୀଙ୍କ ଜୀବନଶୈଳୀ ଦେଖିବେ ରାଜଧାନୀବାସୀ

1 min read

ଭୁବନେଶ୍ୱର: ଭୁବନେଶ୍ବର ୟୁନିଟ୍‌‌-୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମହିଳାଙ୍କ ସହ ଫଟୋ ଉଠାଇଥିଲେ । ଷ୍ଟଲ୍ ବୁଲି ଆଦିବାସୀ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଏହି ମେଳା ୧୫ ଦିନ ଧରି ଚାଲିବ । ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ପ୍ରସ୍ତୁତି କରାଯାଇଛି । ଚଳିତ ଥର ୧୦ଟି ଆଦିବାସୀ ଗ୍ରାମ ସମେତ ୧୨୧ଟି ଷ୍ଟଲରେ ଜନଜାତି ମାନେ ସେମାନଙ୍କ କଳା ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟ ଆଦି ବିକ୍ରି କରିବେ । ମେଳା ପରିସରରେ ଥିବା ସାଂସ୍କୃତିକ ମଞ୍ଚରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଅପରାହ୍ଣ ସାଢ଼େ ୨ଟାରୁ ରାତି ୯ଟା ଯାଏ ମେଳା ଖୋଲା ରହିବ ।