ପ୍ରତ୍ୟକ୍ଷ ରାଜନୀତିରେ ‘ଶିବସେନା’ର ପ୍ରଥମ ସେନାନୀ, ଆଜି ଆଦିତ୍ୟଙ୍କ ଭାଗ୍ୟ ପରୀକ୍ଷା

1 min read

ଦେଶର ପଶ୍ଚିମ ପ୍ରାନ୍ତରେ ଥିବା ତୃତୀୟ ବଡ଼ ରାଜ୍ୟ ହେଉଛି ମହାରାଷ୍ଟ୍ର । ଏଠାକାର ସତ୍ତା ମରାଠା-କୁନବି କମ୍ୟୁନିଟି ଉପରେ ନିର୍ଭରଶୀଳ । ମହାରାଷ୍ଟ୍ରର ମୋଟ ଜନସଂଖ୍ୟାର ୩୧ ପ୍ରତିଶତ ମରାଠା-କୁନବି ସମ୍ପ୍ରଦାୟର । ୫୩ ବର୍ଷ ପୂର୍ବେ ମରାଠାଙ୍କ ହକ୍ ପାଇଁ ବାଲ ଠାକରେଙ୍କ ଦ୍ୱାରା ୧୯୬୬ରେ ଗଠନ ହୋଇଥିଲା ଶିବସେନା । ବିଜେପି ସହ ମେଣ୍ଟ କରି ଶିବସେନା ପ୍ରଥମ ଥର ପାଇଁ ୧୯୯୫ ମସିହାରେ ମହାରାଷ୍ଟ୍ରରେ ସରକାର ଗଢ଼ିଥିଲା । ୧୯୯୯ ମସିହାରେ ବିଜେପି-ଶିବସେନା ମେଣ୍ଟ ସରକାର କିଛି ମାସ ଚାଲିବା ପରେ ପୁଣି ଥରେ କ୍ଷମତା ଦଖଲ କରିଥିଲା କଂଗ୍ରେସ-ଏନସିପି ମେଣ୍ଟ । ଏହାପରେ କ୍ରମାଗତ ଭାବେ ସତ୍ତାରେ ରହିଲା କଂଗ୍ରେସ ଓ ଏନସିପି । ୨୦୧୪ ମସିହାରେ ବିଜେପି-ଶିବସେନା ମେଣ୍ଟ ସଂଖ୍ୟାଗରିଷ୍ଠତା ପାଇ ସରକାରରେ ବସିଲେ ।

ଶିବସେନା ଗଠନ ପରଠାରୁ ଯଦିବା ଠାକରେ ପରିବାର ଏହାର ନେତୃତ୍ୱ ନେଇ ଆସିଛି ମାତ୍ର କେବେବି ପ୍ରତ୍ୟକ୍ଷ ରାଜନୀତିରେ ଏମାନଙ୍କର ସଂପୃକ୍ତି ରହିନାହିଁ । ବାଲ୍ ଠାକରେଙ୍କ ଦେହାନ୍ତ ପରେ ଏବେ ଦଳର ନେତୃତ୍ୱ ନେଉଛନ୍ତି ତାଙ୍କ ସାନପୁଅ ଉଦ୍ଧବ ଠାକରେ । ରାଜ୍ ଠାକରେ ଏକ ପ୍ରକାର ଶିବସେନାରୁ ଅଲଗା ରହିଛନ୍ତି । ୨୦୧୯ରେ ପ୍ରଥମ ଥର ପାଇଁ ଠାକରେ ପରିବାର ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଛି । ମହାରାଷ୍ଟ୍ରର ୱର୍ଲି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ଉଦ୍ଧବ ଠାକରେଙ୍କ ସାନପୁଅ ଆଦିତ୍ୟ ଠାକରେ ।

ସର୍ବଦା ମହାରାଷ୍ଟ୍ରରେ ମେଣ୍ଟ ସରକାର କ୍ଷମତାରେ ରହି ଆସୁଥିବା ବେଳେ ଏବେ କଂଗ୍ରେସ-ଏନସିପି ମେଣ୍ଟରେ ନେତୃତ୍ୱ ନେଇ ସଂକଟ ଦେଖା ଦେଇଛି । କେବଳ ମେଣ୍ଟ କାହିଁକି ଦଳ ଭିତରେ ନେତାଙ୍କ ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ ଭାଗ ଭାଗ ହୋଇଯାଇଛି । ମହାରାଷ୍ଟ୍ରରେ ଏକାଧିକ କଂଗ୍ରେସ ନେତାଙ୍କ ମତ ମନ୍ତବ୍ୟ ଦଳକୁ ଅଡୁଆ ପରିସ୍ଥିତିରେ ପକାଉଛି । ଏଭଳି ସ୍ଥିତିରେ ୮୦ ବର୍ଷୀୟ ଶରଦ ପାୱାର ନିଜେ ଗଢ଼ିଥିବା ଦଳକୁ କାନ୍ଧ ଦେବାରେ ଜୋର୍ ଲଗାଇଛନ୍ତି । ଏନସିପିରେ ସବୁକିଛି ଠିକଠାକ୍ ଥିଲେ ହେଁ ଶରଦ ପାୱାରଙ୍କ ପରେ ଦଳର ନେତୃତ୍ୱ କିଏ ନେବ ସେ ନେଇ କିଛି ସ୍ପଷ୍ଟ ହେଉନି । ରାଜନୈତିକ ବିଶେଷଜ୍ଞ ଓ ଏନସିପିର ଅନ୍ୟ ନେତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ଦଳର ପରବର୍ତ୍ତୀ ଦାବିଦାର କହୁଥିଲେ ହେଁ ରାଜନୀତିରେ ସୁପ୍ରିୟାଙ୍କ ସେମିତି କିଛି ପ୍ରଭାବ ପରିଲକ୍ଷିତ ହେଉନି । ୨୦୦୯ରୁ ପିତାଙ୍କ ଆସନ ବାରମାଟିରୁ ସୁପ୍ରିୟା ଲଗାତାର ନିର୍ବାଚିତ ହୋଇ ଆସୁଥିଲେ ମଧ୍ୟ ଜାତୀୟ ସ୍ତରରେ ବଡ଼ ଚେହେରା ଭାବେ ନିଜକୁ ଉପସ୍ଥାପିତ କରିବାରେ ବିଫଳ ହୋଇଛନ୍ତି ।

ସରକାରରେ ଅଧିକ ଦିନ ଧରି ତିଷ୍ଠି ରହିଥିବା କଂଗ୍ରେସ-ଏନସିପି ମେଣ୍ଟ ଓ ୨ ଦଳରେ ଲାଗି ରହିଥିବା ନେତୃତ୍ୱ ସଂକଟର ଫାଇଦା ନେବାକୁ ଗୋଟି ଚାଳନା କରିଛି ଚତୁର ଶିବସେନା । ପ୍ରଥମ ଥର ଲାଗି ଦଳର ଉତ୍ତରାଧିକାରୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ଆଦିତ୍ୟ ଠାକରେ । ବିଜେପି ସହ ମେଣ୍ଟ କରି ମହାରାଷ୍ଟ୍ର ନିର୍ବାଚନ ଲଢ଼ୁଥିବା ଶିବସେନା ଆଦିତ୍ୟଙ୍କୁ ଦଳର ଫେସ୍ କରିବାକୁ ଚାହୁଁଛି ।

ବିଭିନ୍ନ ହୋର୍ଡିଂରେ ତାଙ୍କର ଫଟୋ ଏବଂ ବିଜ୍ଞାପନରେ ତାଙ୍କର ଚେହେରା ଶିବସେନାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି । ଯଦି ଏଥର ଶିବସେନା ବିଜେପିଠାରୁ ଅଧିକ ଆସନ ପାଏ କିମ୍ବା ପାଖାପାଖି ଆସନ ପାଏ ତେବେ ସରକାର ଗଢିବାକୁ କିଛି ସର୍ତ୍ତ ରଖିପାରେ । ଆଉ ଏତେ ବଡ଼ ରାଜ୍ୟରେ ଶାସନ କରିବାକୁ ବିଜେପି ମଧ୍ୟ ସର୍ତ୍ତରେ ରାଜି ହେବ ନହେବ କହି ହେବନି । ଏ ସର୍ତ୍ତ ଆଦିତ୍ୟଙ୍କ ପାଇଁ କରିପାରେ ସେନା । ଏପରି ସ୍ଥଳେ ମହାରାଷ୍ଟ୍ରର ରାଜନୈତିକ ଭବିଷ୍ୟତ କହିଲେ ବିଜେପି ଓ ଶିବସେନାକୁ ବୁଝିବା ଥୟ ଭଳି ମନେହେଉଛି । ')}

Leave a Reply