ଏପ୍ରିଲ ୨୩ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୩ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା । ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୧୦ ଦିନ ପାଇଁ ଚାଲିବ ଆଦିବାସୀ ମେଳା । ଏହି ମେଳାରେ ଚଳିତ ବର୍ଷ କେବଳ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷିଜାତ ସାମଗ୍ରୀ ବିକ୍ରି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ପ୍ରତିବର୍ଷ ଜାନୁୟାରୀ ୨୬ ତାରିଖରୁ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହେଉଥିବାବେଳେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ତାହା ହୋଇପାରି ନଥିଲା । ତେଣୁ କଟକଣା ଉଠିବାପରେ ଚଳିତ ମାସ ୨୩ ତାରିଖରୁ ଏହା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତାଲିମ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଅଖିଳ ବିହାରୀ ଓତା । ଡକ୍ଟର ଓତା କହିଛନ୍ତି ଯେ ଚଳିତବର୍ଷ ଆଦିବାସୀ ମେଳାରେ ପୂର୍ବଭଳି ଆଦିବାସୀଙ୍କ ପାରମ୍ପରିକ ଗୃହ ଆଦି ଦେଖିବାକୁ ମିଳିବନାହିଁ ।

ତେବେ ଚଳିତ ବର୍ଷ ଆଦିବାସୀ ମେଳାରେ କିଣା ବିକା ପାଇଁ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷି ଓ ଜଙ୍ଗଲଜାତି ସାମଗ୍ରୀ ଉପଲବ୍ଧ ହେବ । ଏଥିପାଇଁ ମୋଟ୍‍ ୧୦୦ଟି ଷ୍ଟଲ କରାଯାଉଥିବାବେଳେ ଆଇଟିଡିଏ, ମାଇକ୍ରୋ ପ୍ରୋଜେକ୍ଟ, ମିଶନ ଶକ୍ତି, ଓରମାସ, ଟିଡିସିସି ଆଦି ଯୋଗଦେବେ । ତେବେ ସେମାନଙ୍କ ଷ୍ଟଲରେ କେବଳ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ ।

ସେହିଭଳି ଏହି ୧୦ ଦିନିଆ ମେଳାରେ ପୂର୍ବଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିବାକୁ ଥିବା ଆଦିବାସୀ କଳାକାରମାନେ ପାରମ୍ପରିକ କଳା ପ୍ରଦର୍ଶନ କରିବେ । ସେହିଭଳି ଆଦିବାସୀ ମେଳାରେ ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ୱତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିବ । ଦେଶର ୧୮ଟି ରାଜ୍ୟରୁ ଆସିବାକୁ ଥିବା କଳାକାରମାନେ ଏଠାରେ ସେମାନଙ୍କ କଳାନୈପୂଣ୍ୟ ପ୍ରଦଶର୍ନ ସହିତ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ । ତେବେ ଚଳିତବର୍ଷ ଅନୁଷ୍ଠିତ ଆଦିବାସୀ ମେଳାରେ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ମିଳିବନାହିଁ । ପୂର୍ବବର୍ଷ ଗୁଡିକରେ ଆଦିବାସୀଙ୍କ ଏହି ଖାଦ୍ୟ ବିଶେଷକରି ବାରିପଦାର ମୁଢି ମାଂସ ସତେ ସୁଆଁ ଖିରି ଓ କଟିଂ ବରା ଆଦି ଲୋକଙ୍କୁ ବେଶ୍‍ ଆକର୍ଷିତ କରୁଥିଲା ।