ମଧ୍ୟପ୍ରଦେଶର ସିଧିରେ ଭୟଙ୍କର ସଡ଼କ ଦୁର୍ଘଟଣା: ୩ଟି ବସକୁ ଧକ୍କା ଦେଲା ଟ୍ରକ୍, ୧୪ ମୃତ

1 min read

ଭୋପାଳ: ମଧ୍ୟପ୍ରଦେଶର ସିଧିରେ ଚୁରହଟ-ରିବା ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ହୋଇଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୫୦ ଜଣ ଆହତ ହୋଇଛନ୍ତି । ଏଥିମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରୁ ୮ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ, ଯେତବେଳେ କି ଅନ୍ୟମାନଙ୍କ ମୃତ୍ୟୁ ହସ୍ପିଟାଲରେ ହୋଇଛି । ଟ୍ରକ୍ ଟାୟାର ଫାଟିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ରାଜପଥ କଡ଼ରେ ଛିଡ଼ାଥିବା ୩ ବସକୁ ଧକ୍କା ଦେଇଥିଲା ଟ୍ରକ୍ ।

ଏପର୍ଯ୍ୟନ୍ତ ସୁଦ୍ଧା ୭ ମୃତକଙ୍କ ଚିହ୍ନଟ ହୋଇପାରିଛି । ଏହି ୩ ବସ୍ ସତନାରେ ଆୟୋଜିତ କୋଲ ସମାଜର ମହାକୁମ୍ଭରେ ସାମିଲ ହେବା ପରେ ସିଧିକୁ ଫେରୁଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ମଧ୍ୟ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ସିଧିରେ ଥିଲେ । ଏହି ସୂଚନା ମିଳିବା ପରେ ସେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ । ଏଥିସହିତ ସେ ସ୍ଥିତିର ଅନୁଧ୍ୟାନ କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରାତି ୯ଟାରେ ମୋହନିୟା ଟନଲଠାରୁ କିଛି ବାଟ ଦୂରରେ ଏହି ଦୁର୍ଘଟଣା ଘଟିଛି ।

ଏଠାରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ତିନି ବସ୍ କୁ ଧକ୍କା ଦେଇଥିଲା । ୩ ବସ୍ ରାଜପଥରେ ଟିଫିନ କରିବା ପାଇଁ ଅଟକିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁଇଟି ବସ୍ ୧୦ ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା । ସେହିପରି ଏକ ବସ ରାଜପଥରେ ହିଁ ଓଲଟି ପଡ଼ିଥିଲା । ସିମେଣ୍ଟ ବୋଝେଇ ଟ୍ରକ୍ ଧକ୍କା ଦେବା ପରେ ପଲଟି ଯାଇଥିଲା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ, ଗୁରୁତର ଆହତଙ୍କୁ ୨ ଲକ୍ଷ ଲେଖାଏଁ ଟଙ୍କା ଏବଂ ସାଧାରଣ ଆହତଙ୍କୁ ୧ ଲକ୍ଷ ଲେଖାଏଁ ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି ।