ମନୀଷ ସିସୋଦିଆଙ୍କୁ ବଦନାମ କରିଛି ବିଜେପି, ନ୍ୟାୟାଳୟରେ ମିଛ ରିପୋର୍ଟ ଦେଇ ଭୁଆଁ ବୁଲାଉଛି ଇଡି

1 min read

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ବଦନାମ କରିଛି ବିଜେପି । ତଦନ୍ତର ମଜାକ ବନାଉଛି କେନ୍ଦ୍ରୀୟ ଏଜେନ୍ସି । ନ୍ୟାୟାଳୟରେ ମିଛ ରିପୋର୍ଟ ଦେଇ ଭୁଆଁ ବୁଲାଉଛି ଇଡି । ବିରୋଧୀଙ୍କ ବିରୋଧରେ ବିଜେପିର ହୀନ ଚକ୍ରାନ୍ତ ଓ କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗକୁ ନେଇ ପ୍ରେସମିଟ୍ କରି ବର୍ଷିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂ । ଦିଲ୍ଲୀର ବିବାଦୀୟ ଅବକାରୀ ନୀତିକୁ ନେଇ ଦିଲ୍ଲୀର ପୂର୍ବତନ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଏକାଧିକବାର ସିସୋଦିଆଙ୍କ ଘର, ଅଫିସ, ବ୍ୟାଙ୍କ ଲକର ଯାଞ୍ଚରେ ଟଙ୍କାଟିଏର ଦୁର୍ନୀତି ବାବଦରେ ସୁରାକ ମିଳି ନଥିବା ବେଳେ ପ୍ରମାଣ ନଷ୍ଟ ଓ ତଦନ୍ତରେ ସହଯୋଗ ନକରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ତଦନ୍ତ ବେଳେ ସିସୋଦିଆ ୧୪ଟି ଫୋନ ନଷ୍ଟ କରିଥିବା ଇଡି କୋର୍ଟରେ ରିପୋର୍ଟ ଦାଖଲ କରିଥିବା ବେଳେ ଲିଷ୍ଟରେ ଥିବା ସବୁ ଫୋନ ଏବେ ବି ବ୍ୟବହାର ଯୋଗ୍ୟ ବୋଲି କହିଛନ୍ତି ଆପ୍ ସାଂସଦ । ଇଡି ଦାଖଲ କରିଥିବା ଫୋନର IMEIର ନମ୍ବରଗୁଡ଼ିକରୁ ୫ଟି ଇଡି ସିଜ୍ କରିଥିବା ବେଳେ ଅନ୍ୟ ୯ଟି ଏବେ ବି ଠିକ୍ ଥିବା ସେ ଦାବି କରିଛନ୍ତି । କୋର୍ଟ ଓ ଗଣମାଧ୍ୟମକୁ ମିଛ କହିଥିବା ଇଡି ଅଧିକାରୀଙ୍କ ବିରୋଧରେ  ଅପରାଧିକ ଷଡ଼ଯନ୍ତ୍ର ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆପ୍ ଦାବି କରିଛି । ବିଜେପି ଆକ୍ରୋଶମୂଳକ ଭାବେ ବିରୋଧୀ ନେତାଙ୍କୁ ଜେଲରେ ପୁରାଇବାକୁ ମିଛ ମାମଲା, ମିଛ ତଦନ୍ତ ପାଇଁ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର କରୁଛି ବୋଲି ସଞ୍ଜୟ ସିଂ କହିଛନ୍ତି ।