ପୁଣି ଦିଲ୍ଲୀରେ ସ୍ଥଗିତ ରହିଲା ମେୟର ଓ ଡେପୁଟୀ ମେୟର ନିର୍ବାଚନ

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ସ୍ଥଗିତ ରହିଲା ମେୟର ଓ ଡେପୁଟୀ ମେୟର ନିର୍ବାଚନ । ନିର୍ବାଚନ ଆରମ୍ଭ ହେବା କ୍ଷଣି ବିଜେପି ଓ ଆପ୍‌ ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା । ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ମେୟର ଓ ଡେପୁଟୀ ମେୟର ନିର୍ବାଚନ ସ୍ଥଗିତ ରଖାଯାଇଛି । ନିର୍ବାଚିତ ସଦସ୍ୟମାନେ ପ୍ରଥମେ ଶପଥ ପାଠ କରିଥିଲେ । ତା ପରେ ମେୟର, ଡେପୁଟୀ ମେୟର ପାଇଁ ଭୋଟିଂ ଆରମ୍ଭ ହୋଇଥାନ୍ତା ହେଲେ ପ୍ରବଳ ଗଣ୍ଡଗୋଳ ଆରମ୍ଭ ହେବାରୁ ଭୋଟିଂ ସ୍ଥଗିତ ରହିଛି ।

ଜାନୁଆରୀ ୬ ତାରିଖରେ ଦିଲ୍ଲୀ ପୌର ସଦନ ବୈଠକରେ ହଙ୍ଗାମା ଯୋଗୁ ନିର୍ବାଚନ ସ୍ଥଗିତ ରହିଥିଲା । ଆପ୍ ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଯୋଗୁ ନିର୍ବାଚନ ହୋଇପାରି ନଥିଲା । ଗତ ଡିସେମ୍ବର ୪ ତାରିଖରେ ମହାନଗର ନିଗମ ଭୋଟ ଅନୁଷ୍ଠିତ ହୋଇଥିଲା । ୨୫୦ ଆସନ ବିଶିଷ୍ଟ ଏମସିଡିରେ ଆପ୍ ୧୩୪ଟି ଆସନ ହାସଲ କରିଥିବା ବେଳେ ବିଜେପି ୧୦୪ଟି ଆସନ ପାଇଥିଲା । କଂଗ୍ରେସ ୯ଟିରେ ସନ୍ତୁଷ୍ଟ ହୋଇଥିଲା । ମେୟର ଲାଗି ଆପର ପ୍ରାର୍ଥୀ ଶେଲୀ ଓବରୟ ଥିବା ବେଳେ ବିଜେପି ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି ।

ପ୍ରଥମେ ନିର୍ବାଚିତ ସଦସ୍ୟଙ୍କୁ ଶପଥ ଗ୍ରହଣ ନକରାଇ ମନୋନୀତ ସଦସ୍ୟଙ୍କୁ ଶପଥ ପାଠ କରାଇବାକୁ ନେଇ ବୈଠକରେ ଗଣ୍ଡଗୋଳ ହୋଇଥିଲା । ପ୍ରଥମେ ନିର୍ବାଚିତ ସଦସ୍ୟଙ୍କୁ ଶପଥ ପାଠ ନେଇ ଆପ ଜିଦ ଧରିଥିବା ବେଳେ ବାଚସ୍ପତି ଏହାକୁ ସ୍ବୀକାର କରିନ ଥିଲେ । ଯାହାକୁ ନେଇ ବିଧାନସଭା ଭିତରେ ହଙ୍ଗାମା ହୋଇଥିଲା । ଫଳରେ ନିର୍ବାଚନକୁ ବାତିଲ କରିଦିଆଯାଇଥିଲା । ଗତବର୍ଷ କେନ୍ଦ୍ର ସରକାର ଏକ ଆଇନ ଆଣି ଉତ୍ତରଦିଲ୍ଲୀର ୧୦୪ ଓ୍ବାର୍ଡ, ଦକ୍ଷିଣ ଦିଲ୍ଲୀର ୧୦୪ ଓ୍ବାର୍ଡ ଓ ପୂର୍ବ ଦିଲ୍ଲୀର ୬୪ ଓ୍ବାର୍ଡକୁ ମିଶ୍ରଣ କରି ମୋଟ ଓ୍ବାର୍ଡ ସଂଖ୍ୟା ୨୫୦ ରଖିଥିଲେ ।