ଟି-୨୦ ବିଶ୍ବକପ ଫାଇନାଲକୁ ଯାଇପାରିବନି ଟିମ୍ ଇଣ୍ଡିଆ: ଆକାଶ ଚୋପ୍ରା

2 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଭାରତ ମାତ୍ର ଗୋଟିଏ ମ୍ୟାଚ ଖେଳିଛି ଏବଂ ପରାଜୟ ବରଣ କରିଛି । ଭାରତର ଏହି ଗୋଟିଏ ପରାଜୟ ପରେ କିଛି ପୂର୍ବ କ୍ରିକେଟର ଏବେଠୁ ଭାରତକୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିସାରିଲେଣି । ଯାହାକୁ ଦେଖି ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ପ୍ରଶଂସକ । ଚଳିତ ଟି-୨୦ ବିଶ୍ବକପରେ ଭାରତ ଆଜି ତା’ର ଦ୍ବିତୀୟ ମୁକାବିଲା ନ୍ୟୁଜିଲାଣ୍ଡ ସହ ଖେଳିବାକୁ ଯାଉଛି । ଭାରତକୁ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଟିମ୍ ଇଣ୍ଡିଆକୁ ହେବାକୁ ଥିବା ସମସ୍ତ ମ୍ୟାଚ ଜିତିବାକୁ ପଡ଼ିବ । ଭାରତ ଚଳିତ ବିଶ୍ବକପରେ ଫାଇନାଲକୁ ଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।  କିନ୍ତୁ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଟୁଇଟରେ ଦୁଇ ଫାଇନାଲିଷ୍ଟଙ୍କ ନାମ କହିଛନ୍ତି । ଯାହାକୁ ନେଇ ଆକାଶ ଚୋପ୍ରାଙ୍କ ଉପରେ ବର୍ଷିଛନ୍ତି ପ୍ରଶଂସକ ।

ଗତକାଲି ଆକାଶ ଚୋପ୍ରା ଟୁଇଟ କରି କହିଥିଲେ କି ଚଳିତ ଟି-୨୦ ବିଶ୍ବକପ ଫାଇନାଲରେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ । ଚଳିତ ବିଶ୍ବକପରେ ପାକିସ୍ତାନ ଲଗାତର ଭାବରେ ତିନୋଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ପାକିସ୍ତାନ ପ୍ରଥମ ମ୍ୟାଚରେ ଭାରତକୁ ପରାସ୍ତ କରିଥିଲା । ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବାବେଳେ ତୃତୀୟ ମ୍ୟାଚରେ ଆଫଗାନିସ୍ତାନକ ପରାସ୍ତ କରିଛନ୍ତି । ତେବେ ପାକିସ୍ତାନର ଆଉ ଦୁଇଟି ମ୍ୟାଚ ନାମବ୍ୟା ଓ ସ୍କଟଲାଣ୍ଡ ମଧ୍ୟରେ ହେବ । ଅନ୍ୟପକ୍ଷରେ ଇଂଲଣ୍ଡ କଥା ଯଦି କହିବା ତାହାଲେ ଇଂଲଣ୍ଡ ମଧ୍ୟ ତା’ର ପ୍ରଥମ ତିନୋଟି ମ୍ୟାଚକୁ ବିଜୟ ଲାଭ କରିଛି ।  ଇଂଲଣ୍ଡ ପ୍ରଥମ ମ୍ୟାଚରେ ଓ୍ବେଷ୍ଟ ଇଣ୍ଡିଜକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ବଙ୍ଗଳାଦେଶ ଓ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିଫାଇନାଲରେ ନିଜ ସ୍ଥାନ ଏକ ପ୍ରକାର ପକ୍କା କରିଛି । ଏହି ଟି-୨୦ ବିଶ୍ବକପରେ ଏହି ଦୁଇ ଟିମ୍ ଦମଦାର ଖେଳ ପ୍ରଦର୍ଶନ କରୁଛି ।

https://twitter.com/devyadav14961/status/1454612832461352962?s=20

ତେବେ ଆକାଶ ଚୋପ୍ରାଙ୍କ ଏହି ବୟାନ ତାଙ୍କ ପାଇଁ ଭାରି ପଡ଼ିଛି । କାହିଁକି ନା ଆକାଶ ଚୋପ୍ରା ସିଲେକ୍ଟ କରିଥିବା ଦୁଇଟି ଟିମ୍ ମଧ୍ୟରେ ଟିମ୍ ଇଣ୍ଡିଆର ନାମ ନାହିଁ । ଯେଉଁଥି ପାଇଁ ପ୍ରଶଂସକମାନେ ତାଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ । କିଛି ପ୍ରଶଂସକ ତାଙ୍କ ଟୁଇଟରେ ଲେଖିଥିଲେ କି ଏବେ ଆମ ଟିମ୍ ମାତ୍ର ଗୋଟିଏ ମ୍ୟାଚ ଖେଳିଛି । କିନ୍ତୁ ଆପଣ ଏବେଠାରୁ ଟିମ୍ ଇଣ୍ଡିଆକୁ ଫାଇନାଲ ରେସରୁ ବାହାର କରିଦେଇଛ । ଅପରପକ୍ଷରେ ଆହୁରି କିଛି ପ୍ରଶଂସକ କହିଛନ୍ତି କି ଆପଣଙ୍କଠାରୁ ଏମିତି ଆଶା କରାଯାଉନଥିଲା ।

ଆକାଶ ଚୋପ୍ରାଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଲିଜେଣ୍ଡ ସ୍ପିନ୍ନର ସେନ ଓ୍ବାର୍ଣ୍ଣେ ବି ଚଳିତ ଟି-୨୦ ବିଶ୍ବକପ ପାଇଁ ତାଙ୍କର ଟିମ୍ ନାଁ ଘୋଷଣା କରିଛନ୍ତି । ଓ୍ବାର୍ଣ୍ଣେଙ୍କ ମତରେ ଚଳିତ ବିଶ୍ବକପ ଫାଇନାଲରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇପାରନ୍ତି ନହେଲେ ଇଂଲଣ୍ଡ – ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇପାରେ । ସେମିଫାଇନାଲ କଥା ଯଦି କହିବା ତାହାଲେ ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ ଓ ପାକିସ୍ତାନ ଅଷ୍ଟ୍ରେଲିଆକୁ ଭେଟିବ ବୋଲି କହିଛନ୍ତି ସେନ ଓ୍ବାର୍ଣ୍ଣେ ।

Leave a Reply