କରୋନା ଟିକାରୁ ବଞ୍ଚିତ ହେଉଛନ୍ତି କି ? ଆଧାରକାର୍ଡ ନଥିଲେ ବି ନେଇପାରିବେ ଟିକା
1 min readନନ୍ଦିଘୋଷ ବ୍ୟୁରୋ: ଆଧାର କାର୍ଡ ପାଇଁ ଆପଣ କରୋନା ଟିକାରୁ ବଞ୍ଚିତ ହେଉଛନ୍ତି କି? ଟାକା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି । ଭାବୁଛନ୍ତି କି ଟିକା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ? ତେବେ ଆପଣ ଏ ବିଷୟରେ ନିହାତି ଜାଣି ରଖିବା ଦରକାର । ଆଧାରକାର୍ଡ ନଥିଲେ ମଧ୍ୟ ଆପଣ ନେଇ ପାରିବେ ଟିକା । ଏଥିରୁ କେହି ଆପଣଙ୍କୁ ବଞ୍ଚିତ କରିପାରିବେ ନାହିଁ । ଦେଶରେ କରୋନାକୁ ମାତ ଦେବା ପାଇଁ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହୋଇଥିବା ବେଳେ ବର୍ତ୍ତମାନ ୨ୟ ପର୍ଯ୍ୟାୟରେ ୧୮ବର୍ଷରୁ ୪୪ବର୍ଷର ନାଗରିକଙ୍କୁ ଦିଆଯାଉଛି ଭ୍ୟାକ୍ସିନ । ତେବେ ଏଥିପାଇଁ ଅନଲାଇନରେ ପଞ୍ଜୀକରଣ ଚାଲିଛି ।
ଯେଉଁଥିରେ ପଞ୍ଜିକରଣ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଆପଣ ଜାଣନ୍ତି କି ଆଧାରକାର୍ଡ ନଥିଲେ ମଧ୍ୟ ଆପଣ ପାଇ ପାରିବେ ଭ୍ୟାକ୍ସିନ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା UIDAI ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଆଧାରକାର୍ଡ ନଥିଲେ ମଧ୍ୟ ଆପଣ ଭ୍ୟାକ୍ସିନ ନେଇ ପାରିବେ । କରୋନା ଭ୍ୟାକ୍ସିନ୍ , ଔଷଧ ଦେବା, ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ କୌଣସି ବ୍ୟକ୍ତିଙ୍କୁ ବାରଣ କରାଯାଇପାରିବ ନାହିଁ । କେହିବି ଆତ୍ୟାବଶ୍ୟକୀୟ ସେବାରୁ ବାଦ୍ ପଡିବେ ନାହିଁ ।
ଦେଶରେ କରୋନା ମହାମାରୀ ଅତି ଭୟଙ୍କର ରୂପ ଧାରଣ କରୁଛି । ପ୍ରତିଦିନ ଅକ୍ସିଜେନ ଅଭାବ ଓ ବେଡ ଅଭାବରୁ ରୋଗୀ ପ୍ରାଣ ହରାଉଛନ୍ତି । ଲୋକଙ୍କ ପାଖରେ ଆବଶ୍ୟକୀୟ କାଗଜପତ୍ର ଅଭାବ ଥିବା ବେଳେ କିଛି କ୍ଷେତ୍ରରେ ସେମାନେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଖବର ସାମନାକୁ ଆସୁଛି । ତେବେ ଲୋକ କିପରି ସୁବିଧାରେ ସେବା ପାଇ ପାରିବେ ସେ ନେଇ ଏହି ଘୋଷଣା କରାଯାଇଛି । ଯଦି କୌଣସି ବ୍ୟକ୍ତିଙ୍କର ଆଧାର ନାହିଁ କିମ୍ବା କୌଣସି କାରଣରୁ ଆଧାର ଅନଲାଇନ୍ ଯାଞ୍ଚ ସଫଳ ହୋଇନାହିଁ ତେବେ ଆଧାର ଅଧିନିୟମ, 2016 ରେ ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ତାଙ୍କୁ ସେବା ଯୋଗାଇ ଦିଆଯିବ ।
ଆପଣ ଟିକା ପାଇଁ ରେଜିଷ୍ଟ୍ରେସନ କରିବେ କିପରି? ଟିକା ପାଇଁ ରେଜିଷ୍ଟ୍ରେସମନ ବାଧ୍ୟତାମୂଳକ କରାଯାଇଥିବା ବେଳେ ପରିଚୟପତ୍ର ମଧ୍ୟ ବାଧ୍ୟତାମୂଳକ ରହିଛି । ତେବେ ଆପଣ ‘ଆରୋଗ୍ୟ ସେତୁ ’ ଆପରେ ରେଜିଷ୍ଟ୍ରସନ କରିବା ବେଳେ ସାତୋଟି ଆଇଡି ଯଥା ଆଧାର ନମ୍ବର, ଡ୍ରାଇଭିଂ ଲାଇସେନ୍ସ, ସ୍ଥାୟୀଆକାଉଣ୍ଟ ନମ୍ବର ବା ପାନ୍, ପାସପୋର୍ଟ, ପାସବୁକ୍, NPR ସ୍ମାର୍ଟ କାର୍ଡ ଏବଂ ଭୋଟରଙ୍କ IDରୁ କୌଣସି ଗୋଟିଏକୁ ବ୍ୟବହାର କରି ଟୀକାକରଣ ପଞ୍ଜକରଣ କରିପାରିବେ।