ମାଆଙ୍କୁ ନେଇ ଦେଶ ଭ୍ରମଣରେ ପୁଅ; ଭାଇରାଲ ହେଉଛି ଫଟୋ

1 min read

ନୂଆଦିଲ୍ଲୀ: ସାଧାରଣତଃ ବୁଲାବୁଲି କରିବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଏମିତିକି ଦୖେନନ୍ଦିନ ଜୀବନରୁ କିଛି ସମୟ ବାହାର କରି ଲୋକମାନେ ନିଜ ପରିବାର, ସାଙ୍ଗସାଥୀ, ପ୍ରେମୀ ଯୁଗଳଙ୍କ ସହ ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥାନ୍ତି । ହେଲେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଜଣେ ମାଆ ଓ ପୁଅଙ୍କ ଦେଶ ଭ୍ରମଣର ଫଟୋ ।

ଯାହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି । ଯୁବ ବ୍ୟବସାୟୀ ସରଥ କୃଷ୍ଣନ ନିଜ ମାଆଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରେ ବୁଲୁଥିବା ନଜର ଆସୁଛନ୍ତି । ଯାହାର କାରଣ ନିଜେ ବଖାଣିଛନ୍ତି ସରଥ ।

ସରଥ କୁହନ୍ତି ଯେ ଦିନେ ସେ ମାଆଙ୍କ ହାତ ଧରି ବାରଣାସୀ (କାଶୀ) ଘାଟରେ ବୁଲୁଥିବା ଆଉ ପଛପଟୁ ଭଜନର ଶବ୍ଦ ଶୁଣିଥିଲେ । ହଠାତ୍ ଆଖି ଖୋଲିଲା ବେଳକୁ ସେ ତ୍ରିସୁର ସ୍ଥିତ ନିଜ ରୁମରେ ଶୋଇଥିବା ଜାଣିବାକୁ ପାଇଥିଲେ । ଆଉ ଉଠିବା ବେଳକୁ ରୁମ୍ ଭିତର ବାରଣାସୀ ଘାଟରେ ହେଉଥିବା ସୁଗନ୍ଧ ଭଳି ମନେ ହେଲା । ହେଲେ ସେ ଏସବୁକୁ ଏକ ସ୍ବପ୍ନ ବୋଲି ବିଶ୍ବାସ କରିପାରିଲେ ନାହିଁ ।

ତା’ପରେ ତତକ୍ଷଣାତ୍ ନିଜ ଲାପଟପ୍ ଖୋଲି ଦୁଇଟି ଟିକେଟ୍ ବୁକିଂ କଲେ ଏବଂ ରୋଷେଇ ଘରକୁ ଯାଇ ମାଆାଙ୍କୁ ଖୋଜିଥିଲେ ।  ସେଠାରେ ମାଆଙ୍କୁ କହିଥିଲେ ‘‘ଅମ୍ମା ମୁଁ ଟିକେଟ୍ ବୁକିଂ କରିଛି, ଏବେ ଚାଲ ଯିବା’’ ।

ପୁଅ ଠାରୁ ଏଭଳି କଥା ଶୁଣି ମାଆ ଗୀତା ରାମଚନ୍ଦ୍ରନ ହଠାତ୍ ଚମକି ପଡିଥିଲେ । ପରେ ସେମାନେ ବିମାନ ବନ୍ଦର ଅଭିମୁଖେ ବାହାରି ସନ୍ଧ୍ୟା ୭ଟା ବେଳକୁ ବାରାଣାସୀରେ ପହଞ୍ଚିଥିଲେ । ଆଉ ସ୍ବପ୍ନରେ ଯେଭଳି ମାଆଙ୍କ ହାତ ଧରି ଘାଟରେ ବୁଲୁଥିଲେ ଠିକ୍ ସେହିପରି କରିବାକୁ ଲାଗିଲେ ।

୩୦ ବର୍ଷୀୟ ସରଥ କୁହନ୍ତି ଯେ ମାଆଙ୍କ ସହ ଭ୍ରମଣ କରିବା ସ୍ବର୍ଗ ଭଳି ସୁଖ ଦେଇଥାଏ । ଗୀତା ମଧ୍ୟ ପୁଅ ସହ ବୁଲିବାରେ ଖୁବ୍ ଆନନ୍ଦ ଅନୁଭବ କରିଥାନ୍ତି । ଏହି ଦୁଇ ମାଆ-ପୁଅ ଯୋଡି ୩ ମାସରେ ଥରେ ଭ୍ରମଣ କରିବାକୁ ବାହାରି ପଡିଥାନ୍ତି ।

ସୂଚନା ଅନୁଯାୟୀ ଏମାନଙ୍କର ପ୍ରଥମ ଟ୍ରିପ୍ ଥିଲା ମୁମ୍ବାଇ । ୬୦ ବର୍ଷୀୟା ଗୀତା କୁହନ୍ତି ଯେ, ମୁଁ ମୋ ପୁଅ ସହ ଶିରିଡି, ନାସିକ, ଅଜନ୍ତା-ଏଲୋରା ଗୁମ୍ଫା, ଦିଲ୍ଲୀ, ଅମୃତସର, ଓ୍ବାଘା ବର୍ଡର, ତିବତ୍, ନେପାଳ ଓ ମାଉଣ୍ଟ ଏଭରେଷ୍ଟ ଶିଖର ବୁଲିସାରିଛି ।

Leave a Reply