ଋଷିକୂଲ୍ୟା ମୁହାଣରେ ଅଣ୍ଡା ଦେଉଛନ୍ତି ଅଲିଭ୍ ରିଡଲେ କଇଁଛ

1 min read

ବ୍ରହ୍ମପୁର: ଅଲିଭ୍ ରିଡଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ । ଗଞ୍ଜାମ ଜିଲ୍ଲା ପୁରୁଣାବନ୍ଧ ଗାଁ ନିକଟସ୍ଥ ଋଷିକୂଲ୍ୟା ମୁହାଣ ବେଳାଭୂମିରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି l ଦୀର୍ଘ ୭ ବର୍ଷ ପରେ ଚଳିତ ବର୍ଷ ଅଲିଭ୍ ରିଡ୍ଲେ କଇଁଛମାନେ ଦିନବେଳା ଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଛି l ଏହି ପ୍ରକ୍ରିୟା ଆହୁରି ତିନି ସପ୍ତାହ ଧରି ଚାଲିବ । ପୂର୍ବ ବର୍ଷ ଅପେକ୍ଷା ପରେ ଚଳିତବର୍ଷ ଏକ ମାସ ବିଳମ୍ବରେ ଅଣ୍ଡାଦାନ ଆରମ୍ଭ ହୋଇଛି ।

କଇଁଛଙ୍କ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ସମୁଦ୍ର ବେଳାଭୂମିର ୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାରିକେଟ୍ ନିର୍ମାଣ କରାଇଛି l ଗଞ୍ଜାମ ବ୍ଲକ ପୋଡ଼ମପେଟା ସମୁଦ୍ର ନିକଟରେ ଦିନ ବେଳା ଶହ ଶହ ସଂଖ୍ୟକ ଅଲିଭ ରିଡଲେ ଅଣ୍ଡାଦାନ କରିଛନ୍ତି । ଯାହାକି ବିରଳ ଘଟଣା ଅଟେ । ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । 2022ରେ 5ଲକ୍ଷ 50 ହଜାରରୁ ଅଣ୍ଡାଦାନ ହୋଇଥିବା ବେଳେ ଚଳିତ ବର୍ଷ ଆହୁରି ଅଧିକ ହେବ ବୋଲି ଆଶା ରଖିଛି ବନ ବିଭାଗ । ଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ରହିଛି ।