ଦାନା ସହ ସୁନା ଚେନ୍ ଖାଇଦେଲା ମଇଁଷି,ଏମିତି ବାହାରିଲା ଚେନ୍

ୱାସିମ: ମହାରାଷ୍ଟ୍ରର ୱାସିମ ଜିଲ୍ଲାର ସରସୀ ଗାଁରେ ଏକ ମଇଁଷି ୩ ରୁ ସାଢେ ତିନି ଲକ୍ଷ ଟଙ୍କାର ଏକ ସୁନା ଚେନ ଗିଳି ଦେଇଛି  । ଚାରା ରଖାଯାଇଥିବା ଏକ ପ୍ଲେଟରେ ସୁନା ଚେନ ଥିବାବେଳେ ମଇଁଷି ଏହାକୁ ଚାରା ଭାବି ଖାଇ ଦେଇଥିଲା  । ସାବଧାନମୂଲକ ସର୍ଜରୀ ପରେ ମଇଁଷି ପେଟରୁ ସୁନା ଚେନ୍‌ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି  । ୱାସିମର ଚାଷୀ ରାମହରି ଭୋୟର ଚାଷ କରିବା ସହ ମଇଁଷି ପାଳନ କରିଥାନ୍ତି  ।

ନିଜ ଜମିରୁ ସେ ସୋୟାବିନ ତୋଳି ଆଣିଥିଲେ  । ତାଙ୍କ ପତ୍ନୀ ସୋୟାବିନ ଚୋପା ଛଡାଇ ଏକ ପ୍ଲେଟରେ ରଖିଥିଲେ । ସୋୟାବିନର ମଞ୍ଜି ଓ ଚୋପାକୁ ଏକ ବଡ ପ୍ଲେଟରେ ଅଲଗା ଅଲଗା କରି ରଖିଥିଲେ  । ରାତିରେ ଶୋଇବା ସମୟରେ ମୁଣ୍ଡ ଉପରେ ଥୋଇଥିବା ପ୍ଲେଟରେ ସେ ପିନ୍ଧିଥିବା ସୁନା ଚେନ ଟିକୁ କାଢି ରଖିଦେଇଥିଲେ  । କିନ୍ତୁ ଏହା ପରଦିନ ପରିବାରର କୌଣସି ସଦସ୍ୟ ମଇଁଷି ପାଇଁ ଚାରା ରଖାଯାଇଥିବା ଭାବି ତା ସାମନାରେ ପ୍ଲେଟଟି ନେଇ ରଖି ଦେଇଥିଲେ  ।

ଚାରା ସହ ସୁନା ଚେନକୁ ଖାଇନେଇଥିଲା ମଇଁଷି  । ପ୍ରଥମେ ତ ପରିବାରର ସଦସ୍ୟ ଚେନ୍‌ ଚୋରି ହୋଇଯାଇଥିବା ଅନୁମାନ କରିଥିଲେ  । ହେଲେ ପରେ ମଇଁଷି ଗିଳି ଦେଇଥିବା ସେମାନେ ଅନୁମାନ କରିଥିଲେ  । ପଶୁ ଚିକିତ୍ସକ ଧାତୁ ଡିଟେକ୍ଟର ଯୋଗେ ମଇଁଷି ପେଟରେ କୌଣସି ବସ୍ତୁ ଥିବା ଜାଣିବାକୁ ପାଇଥିଲେ  । ଏହାପରେ ସେ ଅସ୍ତ୍ରୋପଚାର କରି ମଇଁଷି ପେଟକୁ ସୁନା ଚେନ କାଢିଥିଲେ  । ମଇଁଷି ଓ ସୁନାଚେନ ସୁରକ୍ଷିତ ପାଇ ଖୁସିରେ ଚାଷୀ ପରିବାର  ।