୧ କେଜି ଆଲୁର ଦାମ ଲକ୍ଷେ ଟଙ୍କା, ଚା’ କଫି ପିଇବାକୁ ହେଲେ ବ୍ୟାଗରେ ନେବାକୁ ପଡ଼ିବ ପୁଳା ପୁଳା ଟଙ୍କା
ବେନେଜୁଏଲା: ଦିନଥିଲା ଭେନେଜୁଏଲାକୁ ଏକ ଧନୀ ରାଷ୍ଟ୍ର କୁହାଯାଉଥିଲା କିନ୍ତୁ ଆଜି ଏହି ଦେଶର କରେନିଂ କବାଡ଼ି ସହ ସମାନ ହୋଇଯାଇଛି । ମହଙ୍ଗାଇର ଦର ଏଭଳି ହୋଇଛି ଯେ ଲୋକ ଚା’ ବା କଫି ପିଇବା ପାଇଁ ବ୍ୟାଗରେ ପୁଳା ପୁଳା ଟଙ୍କା ଧରି ଘରୁ ବାହାରୁଛନ୍ତି । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଭେନେଜୁଏଲା ସରକାର ପୁଣି ଥରେ ଏକ ବଡ଼ ସଂଖ୍ୟାର ନୋଟ ଜାରି କରିବାକୁ ଯାଉଛନ୍ତି । ବ୍ଲିମବର୍ଗର ରିପୋର୍ଟ ମୁତାବକ, କ୍ୟାସର ଅଭାବ ଯୋଗୁଁ ଭେନେଜୁଏଲା ବ୍ୟାଙ୍କ ନୋଟ ପେପର ମଧ୍ୟ ବାହାରୁ ଆମଦାନୀ କରାଉଛି ।
ଏଯାବତ ଭେନେଜୁଏଲା ଏକ ଇଟାଲିୟମ କମ୍ପାନୀଠାରୁ ୧୭ ଟନ ସିକ୍ୟୁରିଟୀ ପେପର କିଣି ସାରିଛି । ବେନେଜୁଏଲାର କେନ୍ଦ୍ରୀୟ ବ୍ୟାଙ୍କ ଏବେ ୧ ଲକ୍ଷ ବୋଲିଭରର ନୋଟ ଜାରି କରିବାକୁ ଯାଉଛି । ଏହା ବର୍ତ୍ତମାନ ସୁଦ୍ଧା ଜାରି ହୋଇଥିବା ସବୁଠାରୁ ବଡ଼ ମୂଲ୍ୟର ଟଙ୍କା ହେବ । ଅବଶ୍ୟ ୧ ଲକ୍ଷ ବୋଲିଭର ନୋଟର ମୂଲ୍ୟ ମାତ୍ର ୦.୨୩ ଡଲାର ହିଁ ରହିବ ।
ଭେନେଜୁଏଲାରେ ପୂର୍ବ ବର୍ଷ ମହଙ୍ଗାଇ ଦର ଅନୁମାନ ମୁତାବକ ୨୪୦୦ ପ୍ରତିଶତ ଥିଲା । ଏହାପୂର୍ବରୁ ଭେନେଜୁଏଲା ସରକାର ୫୦,୦୦୦ ବୋଲିଭରର ନୋଟ ଛାପି ସାରିଛନ୍ତି । ଏବେ ବେନେଜୁଏଲା ଏହାଠାରୁ ବି ବଡ଼ ନୋଟ ପ୍ରସ୍ତୁତ କରିବାକୁ ଯାଉଛି ।
ଭେନେଜୁଏଲାର ଅର୍ଥବ୍ୟବସ୍ଥା ଲଗାତାର ସାତ ବର୍ଷ ହେବ କ୍ଷତିର ସାମ୍ନା କରୁଛି । ଚଳିତ ବର୍ଷ କରୋନା ମହାମାରୀ ଏବଂ ତେଲ ଦ୍ୱାରା ମିଳୁଥିବା ରାଜସ୍ୱରେ ହ୍ରାସ ପାଇଁ ଭେନେଜୁଏଲାର ଅର୍ଥବ୍ୟବସ୍ଥା ୨୦ ପ୍ରତିଶତ ହ୍ରାସ ପାଇଛି । କରେନ୍ସିକୁ ସ୍ଥିର ରଖିବା ପାଇଁ ସରକାର ନିଜ ନୋଟରୁ ଶୂନର ସଂଖ୍ୟା କମ୍ କରିଦେଇଥିଲା କିନ୍ତୁ ସବୁ କୌଶଳ ପରେ ମଧ୍ୟ ଏହା ଲାଭ ଦାୟକ ହୋଇପାରିଲା ନାହିଁ ।
ଭେନେଜୁଏଲର ସମସ୍ତ ଲୋକ ବର୍ତ୍ତମାନ ଆମେରିକୀୟ ଡଲାରରେ ଦେୟ କରୁଛନ୍ତି । ୨୦୧୭ ମସିହାରୁ ଭେନେଜୁଏଲାରେ ମହଙ୍ଗାଇ ଦେଖାଦେଇଛି । ଅଧିକାଂଶ ଲୋକ ଜରୁରୀ ସାମଗ୍ରୀ ମଧ୍ୟ କିଣିବାକୁ ସକ୍ଷମ ହୋଇପାରୁନାହାନ୍ତି ।
୪ ଅଙ୍କ ବିଶିଷ୍ଟ ମୁଦ୍ରାସ୍ଫୀତି କାରଣରୁ ବେନେଜୁଏଲାର ମୁଦ୍ରାର ଏବେ କୌଣସି ମୂଲ୍ୟ ନାହିଁ । ଗ୍ରାହକମାନେ ପ୍ଲାଷ୍ଟିକ୍ କିମ୍ବା ଇଲେକ୍ଟ୍ରୋନିକ୍ ଟ୍ରାନ୍ସଫର କରିବାକୁ ବାଧ୍ୟ ହେଉଛନ୍ତି କିମ୍ବା ଡଲାର ଆଡକୁ ଯାଉଛନ୍ତି । କିନ୍ତୁ ବସ୍ ସମେତ ଅନେକ ସୁବିଧା ପାଇଁ ବୋଲିଭରରେ ଦେୟ ଆବଶ୍ୟକ ।
ଭେନେଜୁଏଲାରେ ମହଙ୍ଗାଇ ମାଡ଼ ଏମିତି ହୋଇଛି ଯେ, ୧ କେଜି ମାଂସ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼ୁଛି । ଦାରିଦ୍ରତା ଏବଂ ଭୋକରୁ ବଞ୍ଚିବା ପାଇଁ ପ୍ରାୟ ୩୯ ଲକ୍ଷ ଲୋକ ଭେନେଜୁଆଲା ଛାଡ଼ି ବ୍ରାଜିଲ, ଚିଲୀ, କଲୋମ୍ବିଆ, ଏକ୍ୱାଜୋର ଏବଂ ପୋରୁ ଭଳି ଦେଶକୁ ଯାଇ ବସବାସ କରୁଛନ୍ତି । ଭେନେଜୁଏଲାର ବାସିନ୍ଦାଙ୍କ କହିବା ଅନୁଯାୟୀ, ଏଠାରେ ଆପଣ ଯଦି ଏକ ମାସ କାମ କରିବେ ତେବେ ମାତ୍ର ୨ ଦିନର ଖାଇବା ଖାଇପାରିବେ ।
୨୦୧୪ରେ ଅନ୍ତଃରାଷ୍ଟ୍ରୀୟ ବଜାରରେ ତେଲର ଦାମ ହ୍ରାସ ପାଇବା ପରେ ଭେନେଜୁଏଲା ସମେତ ଅନେକ ଦେଶ ପ୍ରଭାବିତ ହୋଇଥିଲା । ଭେନେଜୁଏଲର ମୋଟ ରପ୍ତାନୀର ୯୬ ପ୍ରତିଶତ କେବଳ ତେଲ ଅଟେ । ଚାରି ବର୍ଷ ପୂର୍ବେ ତେଲର ମୂଲ୍ୟ ଗତ ୩୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା। ଆର୍ଥିକ ସଙ୍କଟ ଯୋଗୁଁ ସରକାର ନୋଟ୍ ଛାପିବାରେ ଲାଗିଲେ, ଯାହା ହାଇପର ମୁଦ୍ରାସ୍ଫୀତିର ପରିସ୍ଥିତି ସୃଷ୍ଟି କରିଥିଲା ଏବଂ ମୁଦ୍ରା ବୋଲିଭରର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇଲା।
ବେନେଜୁଏଲାର ରାଷ୍ଟ୍ରପତି ମଦୁରୋ ନିଜ ଦେଶର ଆର୍ଥିକ ମାନ୍ଦାବସ୍ଥା ପାଇଁ ଓପେକ ( ତେଲ ଉତ୍ପାଦକ ଦେଶର ସମୂହ) ଦେଶଗୁଡ଼ିକର ପ୍ରତିବନ୍ଧକକୁ ଆଙ୍ଗୁଠି ଉଠାଇଛନ୍ତି । ବେନେଜୁଏଲାର ରାଷ୍ଟ୍ରପତି ମଦୁରୋଙ୍କୁ ପଦରୁ ବାହାର କରିବା ପାଇଁ ଆମେରିକା ଆର୍ଥିକ ପ୍ରତିବନ୍ଧକ ମାଧ୍ୟମରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିଆସୁଛି । ତେବେ ମଦୁରୋଙ୍କ ସମାଲୋଚକମାନେ କହିଛନ୍ତି ଯେ ଦୁଇ ଦଶନ୍ଧି ଧରି ମଦୁରୋଙ୍କ ଶାସନ କାଳରେ ବିଶୃଙ୍ଖଳା ଏବଂ ଦୁର୍ନୀତି ବ୍ୟାପିଥିବାରୁ ଦେଶରେ ଏଭଳି ପରିସ୍ଥିତି ଘଟିଛି।