କାଠ ମାଫିଆଙ୍କ ଟାର୍ଗେଟ୍ରେ ଉପକୂଳବର୍ତ୍ତୀ ଜଙ୍ଗଲ, ଦିନ ଦ୍ୱିପ୍ରହରରେ ଗଛକାଟି ଜଙ୍ଗଲ କରୁଛନ୍ତି ପଦା
ଜଗତସିଂହପୁର: କାଠ ମାଫିଆଙ୍କ ଟାର୍ଗେଟରେ ସମୂଦ୍ର ଉପକୂଳ । ଅସୁରକ୍ଷିତ ବାଲିକୁଦା ଓ ଏରସମା ଅଞ୍ଚଳ । ବନକର୍ମଚାରୀ ଓ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା । ପଦା ହେଲାଣି ହେକ୍ଟର ହେକ୍ଟର ଜଙ୍ଗଲ । ରାଜ୍ୟ ସରକାର ସମୁଦ୍ର ଉପକୂଳ ଅଞ୍ଚଳକୁ ସୂରକ୍ଷା ଦେବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ଏନେଇ ଜଗତସିଂହପୁର ଜିଲ୍ଲା ବାଲିକୁଦା ଠାରୁ ଏରସମା ପର୍ଯ୍ୟନ୍ତ ସମୁଦ୍ର କୂଳରେ ହଜାର ହଜାର ବୃକ୍ଷ ରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯାଇଛି । ହେଲେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ଏବେ ଉପକୂଳ ଜଙ୍ଗଲ ଉପରେ ପଡିଛି । ଫଳରେ ଦିନଦ୍ୱିପ୍ରହରେ ଗଛକାଟି ଜଙ୍ଗଲକୁ ପଦା କରୁଛନ୍ତି ମାଫିଆ । ଆଉ ଏହି ବେପାର ବନକର୍ମଚାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲୁଥିବା ଅଭିଯୋଗ ହୋଇଛି ।
କେବଳ ଗଛ ନୁହେଁ ଟ୍ରିପ୍ ଟ୍ରିପ୍ ବାଲି ମଧ୍ୟ ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଉପକୂଳ ଅଞ୍ଚଳରେ ଅଧିକାଂଶ ସମୟରେ ଜୁଆର, ସୁନାମି ଓ ବାତ୍ୟାର ଭୟ ରହିଥାଏ । ୧୯୯୯ର ପ୍ରଳୟଙ୍କାରୀ ବାତ୍ୟା ଜଗତସିଂହପୁରକୁ ଅଧିକ କ୍ଷତି ପହଞ୍ଚାଇଥିଲା । ଏବେ ଉପକୂଳ ଜଙ୍ଗଲ ଦିନକୁଦିନ ଧ୍ୱଶଂ ହେଉଥିବାରୁ ଅଞ୍ଚଳବାସୀ ଭୟଭିତ ହୋଇପଡିଛନ୍ତି । ବନବିଭାଗ ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ବିପଦ ମାଡିଆସିବ ବୋଲି ଆଶଙ୍କା କରିଛନ୍ତି ।