ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

2 min read

ନୂଆଦିଲ୍ଲୀ: ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ।  ଆର୍ମୀ ହସପିଟଲରେ ତାଙ୍କ ବ୍ରେନ ସର୍ଜରୀ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ମସ୍ତିଷ୍କରେ ରକ୍ତ ଜମିଥିବାରୁ ତାଙ୍କର ଅପରେସନ କରାଯାଇଥିଲା । ପରେ ଅବସ୍ଥା ବିଗିଡିବା ଯୋଗୁଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସୂଚନା ମିଳିଛି ।

ଗତକାଲି ସେ ହସପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସେ କରୋନା ପଜିଟିଭ ଥିବା ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ । ପ୍ରଣବ ମୁଖାର୍ଜୀଙ୍କ ବୟସ ବର୍ତ୍ତମାନ ୮୪ ବର୍ଷ । କଂଗ୍ରେସର ଜଣେ ବରିଷ୍ଠ ନେତା ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିବା ପରେ ୨୦୧୨ରୁ ୨୦୧୭ ମଧ୍ୟରେ ସେ ରାଷ୍ଟ୍ରପତି ଥିଲେ । ୨୦୧୯ରେ କେନ୍ଦ୍ର ସରକାର ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଥିଲେ ।

ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଆର ଏଣ୍ଡ ଆର ହସ୍ପିଟାଲ ପରିଦର୍ଶନ କରିଛନ୍ତି ।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ରାଜନୈତିକ ନେତା ୮୪ ବର୍ଷିୟ ମୁଖାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ, ମୁଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

କଂଗ୍ରେସ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ କହିଛି ଯେ, କାମନା କରୁଛୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କୋଭିଡରୁ ଶୀଘ୍ର ଆରୋଗ୍ୟ ହୁଅନ୍ତୁ । ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା କଂଗ୍ରେସ ନେତା ଅଭିଜିତ୍ ମୁଖାର୍ଜୀ ଟୁଇଟ୍ କରି କହିଛନ୍ତି, “ମୁଁ ମୋର ପିତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି ! ବାପାଙ୍କର ଶୀଘ୍ର ସୁସ୍ଥତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିବାକୁ ମୋର ସମସ୍ତ ଦେଶବାସୀଙ୍କୁ ନିବେଦନ କରୁଛି ।”

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଟୁଇଟ୍ କରି କହିଛନ୍ତି, “ମୁଁ ଜାଣିବାକୁ ପାଇଛି ଯେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କୋଭିଡ୍ -୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ମୁଁ ଚିନ୍ତିତ । ତାଙ୍କ ଆଶୁ ଆରୋଗ୍ୟ କାମନା କରନ୍ତୁ।”

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେ ଚ୍ୱିଟ କରି କହିଛନ୍ତି ଯେ, ମୁଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ । ତାଙ୍କୁ ଆଶୁ ଆରୋଗ୍ୟ ପାଇଁ ମୁଁ କାମନା କରୁଛି ।

ଭାରତର ୧୩ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପୂର୍ବରୁ ମୁଖାର୍ଜୀ ଜଣେ ବରିଷ୍ଠ କଂଗ୍ରେସ ନେତା ଥିଲେ। ସେ ଜୁଲାଇ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ।

Leave a Reply