ଭାରତକୁ ଚୀନ୍‌ର ଧମକ୍‌, କହିଲା ତିବ୍ବତକୁ ଚାହିଁଲେ ବଢ଼ କ୍ଷତି ସହିବ ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଦିନକୁ ଦିନ ଡ୍ରାଗନର ବଦମାସି ବଢ଼ିବାରେ ଲାଗିଛି । ଚାଇନାର କମ୍ୟୁନିଷ୍ଟ ଖବରକାଗଜ ଗ୍ଲୋବାଲ ଟାଇମ୍ସ ପୁଣି ଥରେ ଭାରତକୁ ଧମକ ଦେଇଛି । ଏହି ଖବରକାଗଜ ଚୀନ୍ ସରକାରଙ୍କ ମୁଖପତ୍ର ବୋଲି ମଧ୍ୟ ଚର୍ଚ୍ଚା କରାଯାଏ । ଖବରକାଗଜ ଏକ ସମ୍ପାଦକୀୟରେ କହିଛି ଯେ ଭାରତୀୟ ଗଣମାଧ୍ୟମରେ ଏହି ପ୍ରସଙ୍ଗ ଉଠାଯାଉଛି ଯେ ଭାରତ ତିବ୍ଦତ କାର୍ଡକୁ ବ୍ୟବହାର କରିବା ଉଚିତ ।

ଏହା ଉପରେ  ଗ୍ଲୋବାଲ ଟାଇମସ୍‌ ‘ପ୍ରସ୍ତାବିତ’ ତିବ୍ଦତ କାର୍ଡ ‘ଭାରତୀୟ ଅର୍ଥନୀତି ପାଇଁ କ୍ଷତିକାରକ’ ହେବ ବୋଲି କହିଛି । ଗ୍ଲୋବାଲ ଟାଇମସର ଏକ ଆର୍ଟିକିଲରେ କୁହାଯାଇଛି ଯେ ଚୀନ୍ ସହ ତିକ୍ତତା ସମୟରେ ତିବ୍ଦତ କାର୍ଡ ଉପଯୋଗୀ ହୋଇପାରିବ ବୋଲି ଭାବୁଥିବା ଭାରତର କିଛି ଲୋକଙ୍କ ଭ୍ରାନ୍ତ ଧାରଣା । ଖବରକାଗଜ ଲେଖିଛି ଯେ ତିବ୍ଦତ ଚୀନ୍‌ର ଏକ ଆଭ୍ୟନ୍ତରୀଣ ଅଙ୍ଗ ଏବଂ ଏହି ପ୍ରସଙ୍ଗକୁ ସ୍ପର୍ଶ କରିବା ବି ଉଚିତ୍ ନୁହେଁ । ଗ୍ଲୋବାଲ ଟାଇମ୍ସ ମଧ୍ୟ ତିବ୍ଦତର ଅଗ୍ରଗତି ବିଷୟରେ ଲେଖିଛି । ଦାବି କରାଯାଇଛି ଯେ ବିଗତ କିଛି ବର୍ଷ ମଧ୍ୟରେ ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳରେ ତୁଳନାତ୍ମକ ଭାବରେ ଅଧିକ ଦ୍ରୁତ ବିକାଶ ହୋଇଛି ।

ଗ୍ଲୋବାଲ୍ ଟାଇମ୍ସ କହିଛି ଯେ ତିବ୍ଦତ ଅଞ୍ଚଳରେ ଏକ ସ୍ଥିର ସାମାଜିକ ପରିବେଶ ସୃଷ୍ଟି ପାଇଁ ଦ୍ରୁତ ବିକାଶ ଏକ ଉତ୍ତମ ମୂଳଦୁଆ ଅଟେ । ଚାଇନାର ଇଂରାଜୀ ଖବରକାଗଜ କହିଛି ଯେ ‘ତଥାକଥିତ’ ତିବ୍ଦତ କାର୍ଡ କେବଳ କିଛି ଭାରତୀୟଙ୍କ କଳ୍ପନାର ଚିତ୍ର ଏବଂ ଏହା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଚୀନ୍ ମଧ୍ୟ ଦାବି କରିଛି ଯେ ୨୦୧୯ ରେ ତିବ୍ଦତର ଜିଡିପି ୮.୦୧ ପ୍ରତିଶତ ବୃଦ୍ଧି ପାଇଛି । ତିବ୍ଦତ ଅଞ୍ଚଳ ମଧ୍ୟ ୭୧ ଟି ଦେଶ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଛି ।

ନେପାଳ ସହିତ ତିବ୍ଦତର ବାଣିଜ୍ୟ ୨୬.୦୭ ପ୍ରତିଶତ ବୃଦ୍ଧି ପାଇଛି । ଗ୍ଲୋବାଲ ଟାଇମ୍ସ ଆହୁରି ମଧ୍ୟ ଲେଖିଛି ଯେ ଚୀନ୍ ବିରୋଧୀ କେତେକ ଶକ୍ତି ତିବ୍ଦତ ପ୍ରସଙ୍ଗକୁ ବ୍ୟବହାର କରି ଚୀନ୍‌ର ଏକ ଚାଇନା ନୀତି ବିରୋଧରେ ଉତ୍ତେଜନା ସୃଷ୍ଟି କରୁଛନ୍ତି ।

Leave a Reply