ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ବିଜେଡି କରିବ ଆନ୍ଦୋଳନ । ନିର୍ବାଚନ ଦିନ କୋଟିଆର ସବୁ ପଞ୍ଚାୟତରେ ହେବ ବିରୋଧ । ଭୋଟ ବର୍ଜନ କରିବାକୁ କୋଟିଆବାସୀଙ୍କୁ କଂଗ୍ରେସର ଅପିଲ । ନଭେମ୍ବର ୫ ତାରିଖରେ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବ ଆନ୍ଧ୍ରପ୍ରଦେଶ। ନିର୍ବାଚନ ଦିନ ଜୋରଦାର ପ୍ରତିବାଦ କରିବ ଓଡ଼ିଶା। ଅନୁପ୍ରବେଶ କରି ଆନ୍ଧ୍ର ନିର୍ବାଚନ କରୁଥିବାରୁ ଶାସକ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି। କୋଟିଆ ଓଡ଼ିଶାର ବୋଲି କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ। କିନ୍ତୁ ବିଜେପି ସରକାର ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କ ପାଖରେ ସମର୍ପଣ କରିଛି। ରାଜ୍ୟରେ ସୀମା ଅସୁରକ୍ଷିତ ହୋଇ ପଡ଼ିଥିବା ବେଳେ, ପାଟି ଖୋଲୁନି ବିଜେପି ସରକାର। ହେଲେ ବିଜେଡି କିନ୍ତୁ ଚୁପ ବସିବ ନାହିଁ। ରାଜ୍ୟସ୍ବାର୍ଥ ପାଇଁ ନଭେମ୍ବର ୫ ତାରିଖରେ କୋଟିଆର ୨୮ ପଞ୍ଚାୟତରେ ଆନ୍ଦୋଳନ କରିବ ବିଜୁ ଜନତା ଦଳ। ଆନ୍ଧ୍ରକୁ କୋଟିଆର ଇଞ୍ଚେ ଜମି ବି ଦିଆଯିବ ନାହିଁ ବୋଲି ଖୋଲାଖୋଲି ଚେତାବନୀ ଦେଇଛି ବିଜେଡି।
ସେପଟେ କୋଟିଆ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ। ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି। ଖଣିଜ ସମ୍ପଦ ପାଇଁ କୋଟିଆକୁ ଅକ୍ତିଆର କରିବାକୁ ହୀନ ଚକ୍ରାନ୍ତ ଚଳାଇଛି ଆନ୍ଧ୍ର। ଯାହାକୁ କଦାପି ସଫଳ କରାଇ ଦିଆଯିବନି। କୋଟିଆରେ ଭୋଟ ବର୍ଜନ ପାଇଁ ଅପିଲ କରାଯିବ। ଅନ୍ୟପଟେ ତୁରନ୍ତ ରାଜ୍ୟ ସରକାର କୋଟିଆ ପାଇଁ ସ୍ୱତନ୍ତ୍ର ବୋର୍ଡ ଗଠନ କରିବାକୁ ଦାବି କରିଛି କଂଗ୍ରେସ। ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ବିରୋଧୀ ଶାସକ ଦଳକୁ ଘେରିବା ପରେ ଚିରାଚରିତ ଭାବେ ଉତ୍ତର ଦେଇଛି ବିଜେପି।
କୋଟିଆରେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରୁଥିବାରୁ ଏହା ବିରୋଧରେ ଓଡ଼ିଶାରେ ତୀବ୍ର ହୋଇଛି ସ୍ବର। ରାଜ୍ୟସ୍ବାର୍ଥ ପାଇଁ କୋଟିଆରେ ହକ୍ ର ଲଢ଼େଇ କରିବ ବିଜେଡି। ଯାହାକୁ ନେଇ ଉଷ୍ମ ହୋଇଛି ରାଜନୀତି।

