ରାଜଧାନୀରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ ମାମଲା
1 min readଭୁବନେଶ୍ୱର: କଟକଣା କୋହଳ ହେବା ସହ ରାଜଧାନୀ ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ତେବେ, କ୍ୱାରେଣ୍ଟାଇନ୍ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଯାହା ଚିନ୍ତା ବଢ଼ାଇଲାଣି । ବିଏମସି ଜାରି କରୁଥିବା ପ୍ରତିଦିନର ତଥ୍ୟ ଏମିତି ହିଁ କିଛି କହୁଛି । ଗତ ସପ୍ତାହେ ମଧ୍ୟରେ ରାଜଧାନୀରୁ ୧୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୩୭ଟି ସଂକ୍ରମଣ ମାମଲା ହୋମ୍ କ୍ୱାରେଣ୍ଟାଇନ୍ ହୋଇଥିବା ବେଳେ ଅବଶିଷ୍ଟ ୮୯ଟି ସ୍ଥାନୀୟ ସଂକ୍ରମଣ ମାମଲା ।
ବିଏମସି ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜୁନ୍ ୩୦ ତାରିଖ ସୁଦ୍ଧା ରାଜଧାନୀରେ ମୋଟ ୩୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୮୫ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜଧାନୀରେ ୧୩୦ଟି ସକ୍ରିୟ ସଂକ୍ରମିତ ମାମଲା ରହିଛି । ଯେତେବେଳେ କି ମାର୍ଚ୍ଚ ୧୬ରେ ରାଜଧାନୀରେ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯିଏ କି ଇଟାଲୀ ଫେରନ୍ତା ଥିଲେ ।
ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ମାମଲା ହୋମ୍ କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ଅନ୍ୟ ୫ଟି ଲୋକାଲ୍ କେସ୍ ବା ସ୍ଥାନୀୟ ସଂକ୍ରମଣ ମାମଲା । ଗତ ସପ୍ତାହକ ମଧ୍ୟରେ ରାଜଧାନୀରେ ଏହିଭଳି ଭାବେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇଛି ।
ନଜର ପକାନ୍ତୁ କେଉଁ ଦିନ କେତେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ରାଜଧାନୀରୁ-
ତାରିଖ | ହୋମ୍ କ୍ୱାରେଣ୍ଟାଇନ୍ | ସ୍ଥାନୀୟ ସଂକ୍ରମଣ |
ଜୁନ୍ ୩୦ | ୧ | ୫ |
ଜୁନ୍ ୨୯ | ୨ | ୨୩ |
ଜୁନ୍ ୨୮ | ୩ | ୩ |
ଜୁନ୍ ୨୭ | ୧ | ୮ |
ଜୁନ୍ ୨୬ | ୨ | ୧୪ |
ଜୁନ୍ ୨୫ | ୨୫ | ୧୩ |
ଜୁନ୍ ୨୪ | ୩ | ୧୯ |
ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅଧିକାଂଶ ସଂକ୍ରମିତ ବସ୍ତି ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି । ଫଳରେ ବିଏମସି ସ୍ୱତନ୍ତ୍ର ଷ୍ଟ୍ରାଟେଜି ଆପଣଇବା ସହ ବସ୍ତି ଅଞ୍ଚଳକୁ ଫୋକସ୍ କରିଛି । ବିଭିନ୍ନ ବସ୍ତିରେ ସର୍ଭିଲାନ୍ସକୁ ଜୋରଦାର କରାଯିବା ସହ କରୋନାରେ ଅତ୍ୟଧିକ ପ୍ରଭାବିତ ଜିଲ୍ଲାରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି । କୌଣସି ବସ୍ତିରୁ ସଂକ୍ରମିତ ଚିହ୍ନଟ ହେବା ପରେ ଡୋର୍ ଟୁ ଡୋର୍ ସର୍ଭିଲାନ୍ସ କରାଯାଉଛି । ଆବଶ୍ୟକ ସ୍ଥଳେ ପ୍ରଶାସନ ବସ୍ତିକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୁଛି ।
ବିଏମସି ଫୋକସରେ ବସ୍ତି, ହଟସ୍ପଟ ଜିଲ୍ଲାରୁ ଆସିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବେ