ରୋଜଗାର ନପାଇ ଘରକୁ ଫେରିଯାଇଥିଲେ ଶ୍ରମିକ: ବିମାନରେ ଫେରାଇ ଆଣିଲା ଠିକା ସଂସ୍ଥା
ମୁମ୍ବାଇ: ଲକ୍ଡାଉନ୍ ଯୋଗୁଁ ଶ୍ରମିକଙ୍କ ପଳାୟନ ପରେ ଅଟକି ରହିଛି ନିର୍ମାଣ କାର୍ଯ୍ୟ । ବଡ଼ ବଡ଼ ନିର୍ମାଣ କାର୍ଯ୍ୟ ପାଇଁ ବହୁ ସଂଖ୍ୟାରେ ଶ୍ରମିକଙ୍କ ଆବଶ୍ୟକତା ପଡ଼ୁଥିବା ବେଳେ ପ୍ରାୟ ଶ୍ରମିକ ଏବେ ସେମାନଙ୍କ ଘରେ । ଯାହାକୁ ନେଇ ଏବେ ଅଡ଼ୁଆରେ ପଡ଼ିଛନ୍ତି ଠିକାଦାର । ପରିସ୍ଥିତି ଏଭଳି ଉପୁଜିଛି ଯେ, ସେମାନଙ୍କୁ ବିମାନରେ ଫେରାଇ ଆଣିବାକୁ ପଡ଼ିଛି । ଜାତୀୟ ଗଣମାଧ୍ୟମରେ ଏସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି ।
ଯେଉଁଥିରେ କିଛି ଶ୍ରମିକଙ୍କୁ ଏକ ଠିକା ସଂସ୍ଥା ବିମାନ ଯୋଗେ ଫେରାଇଆଣିଥିବା ଦର୍ଶାଯାଇଛି । ଫେରିଆସିଥିବା ଶ୍ରମିକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିହାରର ୨୯ ବର୍ଷୀୟ ଅମିତ କୁମାର । ସେ ଲକ୍ଡାଉନ୍ ବେଳେ କାମ ନଥିବାରୁ ଘରକୁ ଫେରିଆସି ନିଜ ବୃଦ୍ଧ ପିତା ମାତ ଓ ସ୍ତ୍ରୀଙ୍କ ସହ ରହୁଥିଲେ । ତେବେ ଏଭଳି ପରିସ୍ଥିତିରେ ଠିକାଦାର ତାଙ୍କୁ କାମ ପାଇଁ ପ୍ରସ୍ତାବ ଦେବା ସହ ପାଟଣାରୁ ମୁମ୍ୱାଇ ଫେରିବାକୁ ବିମାନ ଟିକେଟ ମଧ୍ୟ ପଠାଇଛନ୍ତି । ଏହା ଅମିତଙ୍କ ପାଇଁ ଡବଲ୍ ଖୁସି, କାହିଁକି ନା ବର୍ତ୍ତମାନର ପରିସ୍ଥିତିରେ ତାଙ୍କୁ କାମ ମିଳିବା ସହ ବିମାନରେ ଯାତ୍ରା କରିବାର ସୁଯୋଗ ମିଳିଛି ।
ଅମିତ କୁମାରଙ୍କ ପରି ପଶ୍ଚିମବଙ୍ଗର ମାଲଦାରେ ରହୁଥିବା ସୁନୀଲ ମଧ୍ୟ ବୃଦ୍ଧା ମା, ପତ୍ନୀ ଏବଂ ୪ ବର୍ଷର ଶିଶୁକୁ ନେଇ ରହୁଛନ୍ତି । ସୁନୀଲ ୱେଲଡର ଭାବରେ କାମ କରନ୍ତି, କିନ୍ତୁ ଲକଡାଉନ୍ ସମୟରେ କାମ ପାଇଲେ ନାହିଁ । ଏବଂ ଘରକୁ ଫେରିଆସି ଖାଲି ବସିଛନ୍ତି । ଏଭଳି ପରିସ୍ଥିତିରେ ମୁମ୍ବାଇର କଣ୍ଟ୍ରାକ୍ଟର ତାଙ୍କୁ କାମ ଯୋଗାଇଦେବା ସହ ଫେରିଆସିବା ଲାଗି ବିମାନ ଟିକେଟ୍ ଟିକେଟ୍ ମଧ୍ୟ ପଠାଇଥିଲେ । ତେବେ ଜୀବନରେ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରିଥିବାରୁ ସୁନିଲ ମଧ୍ୟ ବେଶ୍ ଖୁସି ଜାହିର କରିଛନ୍ତି ।
ପଶ୍ଚିମବଙ୍ଗ ଏବଂ ବିହାରରୁ ୨୦ ଜଣ ଶ୍ରମିକଙ୍କୁ ବିମାନ ଯୋଗେ ମୁମ୍ବାଇକୁ ଆଣିଥିବା ଏହି ସଂସ୍ଥାର ନାମ ହେଉଛି ବ୍ରିଜ ଇଞ୍ଜିନିୟରିଂ କମ୍ପାନୀ, ଯାହା ମୁମ୍ବାଇ ନିକଟସ୍ଥ କଲ୍ୟାଣ ରେଳଲାଇନ ଦେଇ ଯାଉଥିବା ଏକ ବ୍ରିଜର ପ୍ରଶସ୍ତିକରଣ ପାଇଁ ଚୁକ୍ତି କରିଥିଲା । ସ୍ଥାନୀୟ ଲୋକମାନଙ୍କ ପାଇଁ ଏହା ଏକ ମୁଖ୍ୟ ରାସ୍ତା ପାଲଟିଥିବା ବେଳେ ବ୍ରିଜ୍ଟି ବହୁତ ସଂକୀର୍ଣ୍ଣ । ଏଣୁ ଏଠାରେ ପ୍ରାୟ ସମୟରେ ଟ୍ରାଫିକ୍ ଜାମ୍ ହୋଇଥାଏ । ସରକାର ଏହି ବ୍ରିଜକୁ ଡବଲ ଲେନ୍ରୁ ୬ ଲେନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏ ନେଇ ଠିକା ସଂସ୍ଥାକୁ ଓ୍ୱାର୍କ ଅର୍ଡର ଦେବା ପରେ କାମ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଲକ୍ଡାଉନ୍ ଯୋଗୁଁ କାମ ବନ୍ଦ ହୋଇରହିଛି । ତେବେ ବର୍ତ୍ତମାନ ପୁଣି କାମ ଆରମ୍ଭ କରିବା ପାଇଁ ଅନୁମତି ଦିଆଯିବା ପରେ ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏବେ ମଧ୍ୟ ବସ୍ ଓ ଟ୍ରେନ୍ ଚଳାଚଳ ସେତେଟା ସ୍ୱାଭାବିକ ହୋଇନଥିବା ବେଳେ ସେମାନଙ୍କ ଫେରିବାରେ ବିଳମ୍ୱ ହୋଇପାରେ । ଏଣୁ ସେମାନଙ୍କୁ ବିମାନରେ ଫେରାଇ ଆଣିବାକୁ ନିଷ୍ପତ୍ତି ନେଲା ଠିକା ସଂସ୍ଥା । ଏବଂ ସେମାନଙ୍କୁ ବିମାନ ଟିକେଟ ମଧ୍ୟ ପଠାଯାଇଥିଲା । ଏବଂ ସେମାନେ ବିମାନ ଯୋଗେ ଆସି ମୁମ୍ୱାଇରେ ପହଞ୍ଚିବା ସହ ସେମାନେ କାମ ଆରମ୍ଭ କରିସାରିଛନ୍ତି ।