ରାଜ୍ୟର ସମସ୍ତ ଜିଲ୍ଲାକୁ ପଠାଗଲା PPE କିଟ୍‌: କ୍ୱାରେଣ୍ଟାଇନ ହୋମରେ ପହଞ୍ଚିବ କାଳି

1 min read

ଭୁବନେଶ୍ୱର: କୋଭିଡ ଯୁଦ୍ଧରେ ଡାକ୍ତରୀ ଦଳଙ୍କ କବଚ ସାଜିଛି ପିପିଇ କିଟ । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବେଳେ ଡାକ୍ତରୀ ଦଳଙ୍କୁ ସୁରକ୍ଷା ଯୋଗାଉଛି ଏହି କିଟ । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରରୁ ପଠାଗଲା ଲକ୍ଷାଧିକ ପିପିଇ କିଟ । ତାହା ସାଙ୍ଗକୁ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଜିଲ୍ଲା ମୁଖ୍ୟାଳୟକୁ ପଠାଗଲା କାଳି ବାକ୍ସ ।

ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ ବଢିଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା ।  କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏହି ୩ଟି ଜିଲ୍ଲାକୁ ରେଡ ଜୋନରେ ରଖିଛି । ଏଥିପାଇଁ ଏହି ୩ଟି ଜିଲ୍ଲା ଉପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଫୋକସ ରହିଛି ।   ଗୋଟିଏ ପଟେ କରୋନା ପଜିଟିଭଙ୍କ ସଂଖ୍ୟା ବଢୁଥିବାବେଳେ କ୍ୱାରେଣ୍ଟାଇନ ହୋମରେ ବି ସଂଖ୍ୟା ବଢିବାରେ ଲାଗିଛି ।  ଏଥିପାଇଁ ଡାକ୍ତରୀ ଦଳଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜିଲ୍ଲାକୁ ପଠାଯାଇଛି ପିପିଇ କିଟ ।  ପ୍ରଥମ ପର୍ଯ୍ୟାରେ ୧ ଲକ୍ଷ ୧୨ ହଜାର  କିଟ୍ ପଠାଯାଇଛି ।  ଭୁବନେଶ୍ୱରସ୍ଥିତ SIRD କାର୍ଯ୍ୟାଳୟରୁ ସମସ୍ତ ଜିଲ୍ଲା ମୁଖ୍ୟାଳୟକୁ ପଠାଯାଉଛି କିଟ୍‌ ।

ସେହିପରି କରୋନା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ହୁଅନ୍ତୁ ବା ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି । ଏବେ ସମସ୍ତଙ୍କୁ ଚିହ୍ନଟ କରାଯାଇ କ୍ୱାରେଣ୍ଟାଇନ ହୋମ ଓ Temporary Medical Camp ରେ ରଖାଯାଉଛି । ଯେଉଁମାନେ ଏହି ଅସ୍ଥାୟୀ ଶିବିରରେ ରହିବେ ସେମାନଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଳିରେ କାଳି ଲଗାଯିବ । ଭୋଟ ଦାନ ସମୟରେ ଯେଉଁ କାଳି ବାମ ହାତର ଆଙ୍ଗୁଳିରେ ଲଗାଯାଉଥିଲା ଏବେ ସେହି କାଳିକୁ ଡାହାଣ ହାତର ବୁଢା ଆଙ୍ଗୁଳିରେ ଲଗାଯିବ । ଏହି କାଳି ବ୍ୟବହାର କରିବା ପାଇଁ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି । ତେବେ ପୂର୍ବରୁ ରାଜ୍ୟ ବା ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଚିହ୍ନଟ ପାଇଁ  ପାପୁଲିର ଉପର ଅଂଶରେ ଷ୍ଟାମ୍ପ ଲଗାଯାଉଥିଲା । କିନ୍ତୁ ୭୨ ଘଣ୍ଟା ମଧ୍ୟରେ ତାହା ଲିଭିଯାଉଥିବାରୁ କେବଳ ଏହି କାଳି ବ୍ୟବହାର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

Leave a Reply