spot_img

Latest Posts

ବାତ୍ୟା ପାଇଁ ପ୍ରସ୍ତୁତ ଥିଲେ ରାଜ୍ୟ ସରକାର, ହେଲେ ବନ୍ୟା ହୋଇଗଲା

ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ପାଇଁ ପ୍ରସ୍ତୁତ ହୋଇଥିଲେ ରାଜ୍ୟ ସରକାର, ହେଲେ ବନ୍ୟା ହୋଇଗଲା । ମାଲକାନଗିରି, ନୂଆପଡ଼ାକୁ ଜିଲ୍ଲାକୁ ଗୁରୁତ୍ବ ଦିଆଯାଇଥିଲା, ହେଲେ ବନ୍ୟାରେ ବୁଡ଼ିଲା ଗଞ୍ଜାମ । ମହାନଦୀ ଅବବାହିକା ଉପରେ ଧ୍ୟାନ ଦେଇଥିଲେ ସରକାର, ହେଲେ ବୁଡ଼ାଇ ଦେଲା ଋଷିକୂଲ୍ୟା।

ବାତ୍ୟା ପରିଚାଳନାରେ ସାବାସୀ ନେବାକୁ ସରକାର ଉଦ୍ୟମ କରିବା ବେଳେ ବନ୍ୟା ପରିଚାଳନାରେ ପୁରା ଫେଲ୍। ଋଷିକୂଲ୍ୟାର ପାଣିରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଉବୁଟୁବୁ। ରାଜସ୍ବ ମନ୍ତ୍ରୀ ଅସହାୟ ସ୍ଥିତି ବୋଲି ସ୍ବୀକାର କରିଥିବା ବେଳେ ଜଳସମ୍ପଦ ଯନ୍ତ୍ରୀ କହିଛନ୍ତି, ଆମ ହାତରେ କିଛି ଉପାୟ ନଥିଲା । ଅର୍ଣ୍ଣବ ମୁକାବିଲା ପାଇଁ ଦିନରାତି ଏକ କରିଦେଲେ ସରକାର । ୭ ଦିନ ପୂର୍ବରୁ କରିଥିଲେ ପ୍ରସ୍ତୁତି । ବାତ୍ୟାର ପ୍ରକୋପ ଓଡ଼ିଶା ଉପରେ ତ ଏତେ ପଡ଼ିଲା ନାହିଁ । ହେଲେ ଏହାର ପ୍ରଭାବରେ ଜୋରଦାର ବର୍ଷା ହେଲା। ବାତ୍ୟା ପରିଚାଳନାର ସାବାସୀ ନେବାକୁ ସରକାର ଉଦ୍ୟମ କରିବା ବେଳେ ଫସେଇଦେଲା ଗଞ୍ଜାମ ଓ ଗଜପତିର ବନ୍ୟା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଋଷିକୂଲ୍ୟା, ଏହାର ଶାଖା ନଦୀ ଘୋଡ଼ାହାଡ଼ର ପାଣି କୂଳ ଲଂଘନ କରି ଗାଁ ଗାଁରେ ପଶିଛି। ବାହୁଦା ନଦୀ ବି ଦେଖାଇଛି ଭୟଙ୍କର ରୂପ। ବର୍ଷା ପରିମାଣ ଆକଳନରେ ଫେଲ୍ ମାରିଛି ପ୍ରଶାସନ । ଅର୍ଣ୍ଣବ ଓଡ଼ିଶା ଛାଡୁଛି ବୋଲି ଏସ୍ଆରସି କାର୍ଯ୍ୟାଳୟ ଆଶ୍ବସ୍ତ ହେଲା ବେଳକୁ ବନ୍ୟା ଘାଇଲା କରିଛି।

ରାଜସ୍ବ ମନ୍ତ୍ରୀ  ଅସହାୟତା ଦେଖାଇବା ସହ ଋଷିକୂଲ୍ୟାରେ ଡ଼୍ୟାମ ନଥିବାରୁ ଏମିତି ସ୍ଥିତି ଉପୁଜିଲା ବୋଲି କହିଛନ୍ତି । ୨୫-୩୦ ବର୍ଷ ପରେ ଏମିତି ବନ୍ୟା ଦେଖିଛନ୍ତି ଗଂଜାମ ଓ ଗଜପତି। ଋଷିକୂଲ୍ୟାରେ ଡ୍ୟାମ୍ ନ ଥିବାରୁ ବନ୍ୟା ନିୟନ୍ତ୍ରଣ ହୋଇପାରିଲା ନାହିଁ ବୋଲି ରାଜସ୍ବ ମନ୍ତ୍ରୀ କହିଥିବା ବେଳେ ବାହୁଦା ନଦୀର ବାଘନଟିରେ ଥିବା ମଧ୍ୟମ ଡ଼୍ୟାମ୍ ବନ୍ୟା ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ନୁହଁ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ବାଘନଟିରେ ଥିବା ବାହୁଦା ନଦୀ ଉପରେ ଡ଼୍ୟାମରେ ୬୦ ପ୍ରତିଶତ ପାଣି ରଖି ୨ ଦିନ ତଳୁ ପାଣି ଛଡ଼ାଯାଇଥିଲା । ବର୍ଷା ସମ୍ଭାବନା ଥିବାରୁ ଡ଼୍ୟାମ୍ ଖାଲି କରାଯାଇଥିଲା। ହଠାତ୍ ବର୍ଷା ପାଣି ଆସିବା ଯୋଗୁଁ ପାଣି ଛାଡ଼ିବାକୁ ବାଧ୍ୟ ହୋଇଥିଲୁ ବୋଲି ସେ କହିଛନ୍ତି।

ତେବେ ଡ୍ୟାମ୍ ପାଣି ଯୋଗୁଁ ବନ୍ୟା ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ବାତ୍ୟା ଅର୍ଣ୍ଣବ ଭୟଙ୍କର ହୋଇନଥିବାରୁ ରାଜ୍ୟ ସରକାର କଡ଼ା ପରୀକ୍ଷାର ସମ୍ମୁଖୀନ ହୋଇ ନାହାନ୍ତି। କିନ୍ତୁ ବନ୍ୟା ପରିଚାଳନାରେ ଯେ ପୁରା ଫେଲ୍, ଏହା ସତ। ଗଞ୍ଜାମର ବନ୍ୟା ସରକାରଙ୍କ ତଥାକଥିତ ପ୍ରସ୍ତୁତିର ପର୍ଦ୍ଦାଫାସ କରିଦେଇଛି। ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ବନ୍ୟାଞ୍ଚଳ ଗସ୍ତ କରିଥିବା ବେଳେ ପାଣି ଆସିବା ପୂର୍ବରୁ ଉପଯୁକ୍ତ ପଦକ୍ଷେପ ନେଇଥିଲେ ଏତେ କ୍ଷୟକ୍ଷତି ହୋଇନଥାନ୍ତା ବୋଲି କୁହାଯାଉଛି ।

Latest Posts

Don't Miss