ରଥଯାତ୍ରା ପ୍ରସଙ୍ଗ: ମେ ୩ ତାରିଖ ପରେ ହେବ ଚିତ୍ର ସ୍ପଷ୍ଟ,ସଂଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ ଗଜପତି

ଭୁବନେଶ୍ୱର: ରଥଯାତ୍ରା ହେବ କି ନାହିଁ ସେ ନେଇ ବଡ ଧରଣର ବୟାନ ଦେଇଛନ୍ତି ଗଜପତି ଦିବ୍ୟସିଂହ ଦେବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ,ରଥଯାତ୍ର ହେବ କି ନାହିଁ ସେ ନେଇ ନିଷ୍ପତି ସରକାର ନେବେ । ମେ’ ୩ ତାରିଖ ପରେ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଆସିବା ପରେ ହିଁ ଏହା ଉପରେ କିଛି କୁହାଯାଇ ପାରିବ ବୋଲି ଗଜପତି କହିଛନ୍ତି

ଗଜପତି କହିଛନ୍ତି ଯେ,କୋଭିଡ୍ ୧୯ ପାଇଁ ପୁରା ବିଶ୍ୱ ଆତଙ୍କ ଭିତରେ ଅଛି । ଏମିତିରେ କରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକଡାଉନ୍ ଲାଗୁ ହୋଇଛି । ଲକଡାଉନ୍ ଭିତରେ କୌଣସି ପ୍ରକାର ଧାର୍ମିକ ଗତିବିଧି ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିସାରିଛନ୍ତି । ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ଆଦେଶକୁ ମାନିବାକୁ ପଡିବ ।

ଏପ୍ରିଲ ୨୬ ତାରିଖରେ ଅକ୍ଷୟ ତୃତୀୟ ପଡୁଛି । ଲକଡାଉନ୍ କାରଣରୁ ବର୍ତ୍ତମାନ ଅକ୍ଷୟ ତୃତୀୟାର ବାହାର ନୀତି ସମ୍ଭବ ନୁହେଁ ବୋଲି ଗଜପତି କହିଛନ୍ତି । ଗଜପତି ମହାରାଜ ଏହା ମଧ୍ୟ କହିଛନ୍ତି ଯେ, ଧର୍ମ ସମ୍ବନ୍ଧିୟ ନିଷ୍ପତି ଧର୍ମଗୁରୁ ନେବେ । ଆଜି ସଂଧ୍ୟାରେ ପରିଚାଳନା କମିଟି ସହ ଗଜପତି ଶଙ୍କରଚାର୍ଯ୍ୟଙ୍କୁ ଭେଟିବେ । ଶଙ୍କରଚାର୍ଯ୍ୟଙ୍କ ଦିଗଦର୍ଶନରେ କମିଟି ନିଷ୍ପତି ନେବ । ବିଧି ରକ୍ଷା ପାଇଁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ପରିଚାଳନା କମିଟି ତାଙ୍କୁ ସାକ୍ଷାତ କରିବେ ।

ସୂଚନାଯୋଗ୍ୟ ଯେ,ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ନିଆଯାଇଥିଲା । ଅନ୍ୟପକ୍ଷରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ରଥଯାତ୍ରା ନେଇ ଆଲୋଚନା କରିଥିଲେ ।

Leave a Reply