ମୁମ୍ବାଇରେ ଲକ୍‌ଡାଉନ ସରିବା ନେଇ ଗୁଜବ, ଷ୍ଟେସନରେ ପହଞ୍ଚିଲେ ହଜାର ହଜାର ଶ୍ରମିକ

ମୁମ୍ବାଇ:  କରୋନା ମୁକାବିଲା ପାଇଁ ଦେଶରେ ଲକଡାଉନ୍ ଆସନ୍ତା ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟରେ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଏକତ୍ରିତ ହୋଇଥିଲେ । ସେମାନେ ଆଜି ଲକ୍‌ଡାଉନ ସରୁଛି ଭାବି ଷ୍ଟେସନରେ ପହଞ୍ଚିଥିଲେ । ଏହି ସମସ୍ତ ଶ୍ରମିକମାନେ ଘରକୁ ଯିବା ଟ୍ରେନ୍ ପାଇବାକୁ ଆଶା କରିଥିଲେ । ହଜାର ହଜାର ଲୋକଙ୍କ ଭିଡ଼ ଦେଖି ପୋଲିସ ପ୍ରଶାସନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ତେବେ ଷ୍ଟେସନରୁ ସେମାନଙ୍କୁ ହଟାଇବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ପୋଲିସର କାର୍ଯ୍ୟାନୁଷ୍ଠାନ ନେବା ପରେ ଷ୍ଟେସନରୁ ଭିଡ଼ ହଟିଥିଲା ।

ସ୍ଥାନୀୟ ନେତାମାନେ ଲୋକଙ୍କୁ ବୁଝାଇଥିଲେ ଯେ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ ଏବଂ ସମସ୍ତ ପ୍ରକାରର ସହାୟତା ଦିଆଯିବ । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ ଏହି ଶ୍ରମିକମାନଙ୍କ ଖାଦ୍ୟ ଏବଂ ସମସ୍ତ ସୁବିଧା ପାଇଁ ମହାରାଷ୍ଟ୍ର ସରକାର ବ୍ୟବସ୍ଥା କରିବେ । ଆମେ ଶ୍ରମିକମାନଙ୍କୁ ବୁଝାଉଛୁ ଯେ ସେମାନେ ସେମାନଙ୍କର ଅବସ୍ଥା ସୁଧାରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ।

ସେପଟେ ମହାରାଷ୍ଟ୍ର କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି ।  ଏଠାରେ ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୨୩୦୦ ଅତିକ୍ରମ କରିଛି । ମହାରାଷ୍ଟ୍ରର ସବୁଠାରୁ ଅଧିକ ପ୍ରଭାବିତ ସହର ହେଉଛି ମୁମ୍ବାଇ ।  ଯେଉଁଠାରେ ୧୭୦୦ ରୁ ଅଧିକ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି ।

Leave a Reply