ନନ୍ଦିଘୋଷ ବ୍ୟୁରୋ : ମାତ୍ର ୩୨ ଏକର ଜମି ପାଇଁ ଦୀର୍ଘ ୩୪ ବର୍ଷର ବିବାଦ ଶେଷରେ ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇଛି। ଜମି ବିବାଦର ପ୍ରତିଶୋଧ ନେବାକୁ ୧୦ ଲକ୍ଷ ଟଙ୍କାର ସୁପାରି ଦେଇ କଲ୍ପି ବାର୍ ଆସୋସିଏସନର ସଭାପତି ତଥା ୬୭ ବର୍ଷୀୟ ଆଇନଜୀବୀ ଗୟାଦିନ ଅହିରୱାରଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏହି ହତ୍ୟା ଷଡ଼ଯନ୍ତ୍ରର ଚେର ଜାଲୌନରୁ ଆରମ୍ଭ ହୋଇ କାନପୁର ପର୍ଯ୍ୟନ୍ତ ଲମ୍ବିଥିଲା। ଘଟଣାରେ ଜମି ବିବାଦ ସହ ଜଡ଼ିତ ଜଣେ ସନ୍ଦିଗ୍ଧ ଏବଂ ତିନିଜଣ ସୁଟରଙ୍କୁ ପୋଲିସ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ମୋନୁ ଯାଦବ ଏବେ ବି ଫେରାର ଅଛି।
୧୯୯୦ରୁ ଆରମ୍ଭ ହୋଇଥିଲା ଜମି ବିବାଦ
ପୋଲିସର ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡ ପଛରେ କଦୌରା ଅଞ୍ଚଳର ଚାଟେଲା ଗାଁର ମାଧବ ସିଂହଙ୍କ ସମ୍ପତ୍ତିକୁ ନେଇ ଦୀର୍ଘଦିନର ବିବାଦ ରହିଛି। ମାଧବ ସିଂହଙ୍କ ପାଖରେ ପ୍ରାୟ ୧୦୦୦ ଏକର ଜମି ଥିଲା। ସେ ହଂସା ଗାଁରେ ଥିବା ୩୨ ଏକର ଜମି ନିଜ ନାତୁଣୀ ଅପର୍ଣ୍ଣା ସିଂହଙ୍କ ନାମରେ ଇଚ୍ଛାପତ୍ର କରିଥିଲେ। ୧୯୯୦ରେ ମାଧବ ସିଂହ ଓ ତାଙ୍କ ପୁଅ ରାମଗୋପାଳଙ୍କ ମୃତ୍ୟୁ ପରେ ଆଇନଜୀବୀ ଗୟାଦିନ ଅହିରୱାର ଉକ୍ତ ଇଚ୍ଛାପତ୍ର ଆଧାରରେ ଜମି ଉପରେ ମାଲିକାନା ଦାବି କରିଥିଲେ। ଏହାକୁ ନେଇ ଅପର୍ଣ୍ଣା ସିଂହ ଓ ଗୟାଦିନଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଦୀର୍ଘ ଆଇନଗତ ଲଢ଼େଇ। ଶେଷରେ ଅଦାଲତରୁ ଅପର୍ଣ୍ଣାଙ୍କୁ ଆଶ୍ୱସ୍ତି ମିଳିଥିଲା।
୨୦୧୯ରେ ଅପର୍ଣ୍ଣା ଉକ୍ତ ବିବାଦୀୟ ଜମିକୁ ମୈନପୁରୀର କରହାଲ ଅଞ୍ଚଳର କଥୌଲି ନିବାସୀ ଇନ୍ଦ୍ରପାଲ ସିଂହଙ୍କୁ ବିକ୍ରି କରିଥିଲେ। ସେ ଇନ୍ଦ୍ରଜିତ ସିଂହ ଯାଦବ ନାମରେ ମଧ୍ୟ ପରିଚିତ ଥିଲେ ଏବଂ ଦୀର୍ଘଦିନ ଧରି କାନପୁରରେ ରହୁଥିଲେ। ତଥାପି ଜମି ବିବାଦର ସମାଧାନ ହୋଇନଥିଲା। ଚଳିତ ବର୍ଷ ଜୁନ୍ ମାସରେ ଗୟାଦିନ ଇନ୍ଦ୍ରଜିତ, ତାଙ୍କ ପତ୍ନୀ ସବିତାଙ୍କ ସମେତ ଅନ୍ୟ ସାତଜଣଙ୍କ ବିରୋଧରେ ଆକ୍ରମଣ ମାମଲା ରୁଜୁ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଶତ୍ରୁତା ଆହୁରି ବଢ଼ିଥିବା ପୋଲିସ କହିଛି।
କାଗଜପତ୍ର ଦେବା ବାହାନାରେ ଅପହରଣ
ପୋଲିସ ତଦନ୍ତ ଅନୁଯାୟୀ, ଶନିବାର ଗୟାଦିନ ଓରାଇ କୋର୍ଟରେ ଶୁଣାଣି ସାରି କଲ୍ପି ଫେରିଥିଲେ। ତାଙ୍କ ପୁଅ ହର୍ଷନାଥ ସ୍କୁଟରରେ ତାଙ୍କୁ ଘରକୁ ନେଉଥିବା ସମୟରେ ରାସ୍ତାରେ ମୋନୁ ଯାଦବଙ୍କ ସହ ସାକ୍ଷାତ ହୋଇଥିଲା। ମୋନୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦେବା ଓ ଜଳଖିଆ ଖାଇବାର ପ୍ରଲୋଭନ ଦେଖାଇ ଗୟାଦିନଙ୍କୁ କାର୍ରେ ବସାଇଥିଲା। କାର୍ରେ ପୂର୍ବରୁ ଆଉ ତିନିଜଣ ଥିଲେ। ପରେ ଗୟାଦିନଙ୍କୁ ପୁଅଠାରୁ ଅଲଗା କରି ଜବରଦସ୍ତି କାର୍ରେ ନେଇଯାଇଥିବା ଅଭିଯୋଗ ହୋଇଛି।ତାଙ୍କୁ କାନପୁର ନିଆଯାଇ ଗୁଜୈନୀ ଅଞ୍ଚଳର ଗମ୍ଭୀରପୁର ନିକଟ କେନାଲ କୂଳରେ ହତ୍ୟା କରାଯାଇଥିଲା। ପରେ ମୃତଦେହକୁ କେନାଲରେ ଫିଙ୍ଗି ଦିଆଯାଇଥିଲା।
୧୦ ଲକ୍ଷ ଟଙ୍କାର ସୁପାରି, ତିନି ସୁଟର ଗିରଫ
ଏହି ମାମଲାରେ ପୋଲିସ ଇନ୍ଦ୍ରଜିତ ସିଂହ ଯାଦବଙ୍କୁ ଗିରଫ କରିଛି। ପଚରାଉଚରା ବେଳେ ହତ୍ୟା ପାଇଁ ମୋନୁ ଯାଦବ ଓ ତାଙ୍କ ବାପା ଅଜୟ ଯାଦବଙ୍କୁ ସୁପାରି ଦିଆଯାଇଥିବା ସୂଚନା ମିଳିଥିବା ପୋଲିସ କହିଛି। ଏହା ସହିତ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ସର୍ବେଶ ଶୁକ୍ଳା ଓରଫ ସାବ୍ବୁ, ଆଶିଷ ବିଶ୍ୱକର୍ମା ଓ କେଶବ କଟିୟାରଙ୍କୁ ମଧ୍ୟ ଗିରଫ କରାଯାଇଛି। ପୋଲିସର କାର୍ଯ୍ୟାନୁଷ୍ଠାନ ସମୟରେ ଦୁଇଜଣ ସୁଟରଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଅନ୍ୟପଟେ ମୋନୁ ଯାଦବ ଫେରାର ଥିବାରୁ ତାକୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି।
ଓକିଲଙ୍କ ଦୁଇଦିନିଆ ଧର୍ମଘଟ, ୫ କୋଟି କ୍ଷତିପୂରଣ ଦାବି
ଆଇନଜୀବୀ ଗୟାଦିନ ଅହିରୱାରଙ୍କ ହତ୍ୟାକୁ ନେଇ କାନପୁରର ଓକିଲମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଓକିଲମାନେ ମଙ୍ଗଳବାର ଓ ବୁଧବାର ଦୁଇଦିନିଆ ଧର୍ମଘଟ ଘୋଷଣା କରିଛନ୍ତି। ପୀଡ଼ିତ ପରିବାରକୁ ୫ କୋଟି ଟଙ୍କାର କ୍ଷତିପୂରଣ, ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଏବଂ ମାମଲାର ଶୀଘ୍ର ବିଚାର ପାଇଁ ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି କରିବାକୁ ସେମାନେ ଦାବି କରିଛନ୍ତି।

