ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ଦେଖାଦେଇଛି। ଲଗାଣ ବର୍ଷା ଯୋଗୁଁ ପାହାଡ଼ ଧସି ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ହୋଇଛି।
ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗ୍ରାମ ଏହି ଭୂସ୍ଖଳନର ମୁଖ୍ୟ ଶିକାର ହୋଇଛି। ପାହାଡ଼ ଉପରୁ ପ୍ରବଳ ମାଟି, ବିରାଟକାୟ ପଥର, ଗଛ ଓ ବନ୍ୟାଜଳ ମାଡ଼ି ଆସିବାରୁ ସମ୍ପୂର୍ଣ୍ଣ ଗାଁଟି ଧ୍ୱଂସସ୍ତୂପରେ ପରିଣତ ହୋଇଛି।
ଘଟଣା ପରେ ୧୩ ଜଣ ଗ୍ରାମବାସୀ ନିଖୋଜ ଥିବା ନେଇ ଚିନ୍ତା ବଢ଼ିଥିଲା। ତେବେ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ସେମାନଙ୍କ ମଧ୍ୟରୁ ୧୧ ଜଣ ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ କତିଙ୍ଗିଆ ପଞ୍ଚାୟତର କିଲାପାଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳରେ ନିଜେ ପହଞ୍ଚି ଆଶ୍ରୟ ନେଇଛନ୍ତି।
ଅନ୍ୟପଟେ ନିଖୋଜ ଥିବା ଅନ୍ୟ ୨ ଜଣ ମହିଳାଙ୍କୁ ଉଦ୍ଧାରକାରୀ ଦଳ ସଫଳତାର ସହ ଉଦ୍ଧାର କରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତୁରନ୍ତ ଘୁ. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି। ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ ବଣ୍ଟନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର କରାଯାଇଛି।

